ଭବାନୀପାଟଣାରୁ ସେକ୍ସ ର଼୍ୟାକେଟ ଠାବ: ୪ ଦେହଜୀବୀ ଉଦ୍ଧାର, ୩ ଯୁବକ ଅଟକ

ଭବାନୀପାଟଣା, ୪।୧୨(ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ସ୍ଥାନୀୟ ନକଟିଗୁଡାରେ ଥିବା ଏକ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ସେଠାରୁ ୪ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଯୁବକଙ୍କୁ ଅଟକ ରଖାଯାଇଛି।

ଭବାନୀପାଟଣାର ନକଟିଗୁଡା ମହିନ୍ଦ୍ରା ଶୋ’ରୁମ୍‌ ପଛପଟେ ଏକ ଘରେ ସେକ୍ସ ର଼୍ୟାକେଟ୍‌ ଚାଲୁଥିବା ନେଇ ପୋଲିସ ଖବର ପାଇଥିଲା। ପରେ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ରାତି ୯.୩୦ ମି.ରେ ଟାଉନ୍‌ ଥାନା ପୋଲିସ ଉକ୍ତ ଘର ଉପରେ ଚଢାଉ କରିଥିଲା। ଘଟଣାସ୍ଥଳରୁ ଦେହଜୀବୀଙ୍କ ସହ ୩ ଗ୍ରାହକଙ୍କୁ ଅଟକ ରଖାଯାଇଥିଲା। ଦେହଜୀବୀମାନେ ରାଉରକେଲା, ଝାରସୁଗୁଡା, ଭୁବନେଶ୍ୱର ଓ ସୁନ୍ଦରଗଡର ଗୋନ୍ଦିଆର ବୋଲି ଜଣାପଡିଛି। ଭବାନୀପାଟଣା ସହରର କିଛି ଅସାମାଜିକ ଯୁବକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଝିଅଙ୍କୁ ଆଣି ଏଠାରେ ସେକ୍ସ ର଼୍ୟାକେଟ୍‌ ଚଳାଉଥିବା ନେଇ ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ଏ ନେଇ କଳାହାଣ୍ଡି ପୋଲିସ କିଛିଦିନ ହେଲା ତୀକ୍ଷ୍ଣ ନଜର ରଖିଥିଲା। ପରେ ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ପୋଲିସ ଚଢାଉ କରିଥିବା ସୂଚନା ମିଳିଛି।

Share