ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶନିବାର ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଭାସ୍କର ନାୟକ। ଏସ୍‌ଟିଏଫ୍‌ ଟିମ୍‌ ଶୁକ୍ରବାର କଳାହାଣ୍ଡି-ରାୟଗଡ଼ା ସୀମାରେ ଚଢ଼ାଉ କରି ଲାଞ୍ଜିଘର ଅଞ୍ଚଳରୁ ଭାସ୍କରଙ୍କୁ ଉଠାଇ ଆଣିଥିଲା। ଭାସ୍କରଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଧରିଲାଣି କ୍ରାଇମବ୍ରାଞ୍ଚ। ତେବେ ବାଘକୁ କିଏ ଶିକାର କରିଥିଲା, ଛାଲ ଓ ଦାନ୍ତ କେଉଁଠିକୁ ଚାଲାଣ ପାଇଁ ଯୋଜନା ହୋଇଥିଲା, ତାହା ଏବେ ବି ଅନ୍ଧାରରେ ରହିଛି। ଏହାସହ ଆନ୍ତଃରାଜ୍ୟ ର଼୍ୟାକେଟ୍‌ ଲିଙ୍କ୍‌ ରହିଥିବା ପୂର୍ବରୁ କ୍ରାମଇବ୍ରାଞ୍ଚ ସନ୍ଦେହ କରିଥିଲା। ବର୍ତ୍ତମାନ ସମସ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବା ସହ ର଼୍ୟାକେଟ୍‌ର ମୁଖ୍ୟ ପାଖରେ ପହଞ୍ଚତ୍ବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସୂଚନାଯୋଗ୍ୟ, ଭବାନୀପାଟଣାରେ ବନ୍ୟପ୍ରାଣୀ ସାମଗ୍ରୀର ଚୋରା ଚାଲାଣ ହେଉଥିବା ନେଇ କିଛିଦିନ ତଳେ କ୍ରାଇମବ୍ରାଞ୍ଚ ଖବର ପାଇଥିଲା। ଗୁରୁବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ସହିତ ବନ ବିଭାଗ କର୍ମଚାରୀ ଗ୍ରାହକ ପରିଚୟ ଦେଇ ଏହି ର଼୍ୟାକେଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ଥିଲେ। ଦୁଇଟି ବନ୍ୟପ୍ରାଣୀ ସାମାଗ୍ରୀକୁ ନେବା ପାଇଁ ମୂଲଚାଲ ହୋଇଥିଲା। ଶେଷରେ ୮ଲକ୍ଷ ଟଙ୍କାରେ ନେବାକୁ ସ୍ଥିର ହୋଇଥିଲା। ଏହି ସମୟରେ ସେମାନଙ୍କୁ ଧରିଆଣିଥିଲା ଏସ୍‌ଟିଏଫ୍‌ ଟିମ୍‌। ଏମାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ବାସିନ୍ଦା ହୋଇଥିବାରୁ ଆନ୍ତଃରାଜ୍ୟ ର଼୍ୟାକେଟ୍‌ ଥିବା ସନ୍ଦେହ କରାଯାଉଛି। ତେଣୁ ଅଧିକ ପଚରାଉଚୁରା ପାଇଁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଦୁଇଦିନ ରିମାଣ୍ଡରେ ନେଇଛି। ସେମାନଙ୍କ ବୟାନ ଆଧାରରେ ଗିରଫ ହୋଇଥିବା ଭାସ୍କରଙ୍କଠାରୁ ବହୁ ତଥ୍ୟ ମିଳିବ ବୋଲି ଏସ୍‌ଟିଏଫ୍‌ ଆଶା ରଖିଛି।

Share