Categories: ଜାତୀୟ

ଭବିଷ୍ୟନିଧି ପାଣ୍ଠି ଠକେଇ: ୯ ଲକ୍ଷ କର୍ମଚାରୀଙ୍କ ନାମରେ ସରକାରଙ୍କୁ ୩୦୦ କୋଟି ଠକିଛନ୍ତି ୮୦ ହଜାର କମ୍ପାନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ତଥା ବେକାର ସମସ୍ୟା ଦୂର ଲାଗି ସରକାର ସଂଗଠିତ କ୍ଷେତ୍ର ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ସରକାର ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ତେବେ କେତେକ କମ୍ପାନୀ ଏହି ଯୋଜନା ମାଧ୍ୟମରେ ସରକାରଙ୍କୁ ଠକିବାରେ ଲାଗିଛନ୍ତି। ଏବେ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଦେଶର ୮୦ ହଜାର କମ୍ପାନୀ ୯ ଲକ୍ଷ କର୍ମଚାରୀଙ୍କ ନାମରେ ସରକାରଙ୍କୁ ୩୦୦ କୋଟି ଟଙ୍କାର ଠକେଇ କରିଛନ୍ତି। ବେଆଇନ ଭାବେ କର୍ମଚାରୀଙ୍କ ନାମକୁ ଭବିଷ୍ୟନିଧି ସଂଗଠନରେ ସାମିଲ୍‌ କରାଯାଇଛି। ଏହାର ଲାଭ ସମ୍ପୃକ୍ତ କମ୍ପାନୀ ପାଇଥିବାବେଳେ ସରକାରଙ୍କର କ୍ଷତି ହୋଇଛି। ଠକେଇ ସମ୍ପର୍କରେ ସୂଚନା ମିଳିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ୨୨୨ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ସହିତ ୯ ଲକ୍ଷ କର୍ମଚାରୀଙ୍କ ଭବିଷ୍ୟନିଧି ଖାତାକୁ ବ୍ଲକ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ୨୦୧୬ରୁ ଆରମ୍ଭ ହୋଇଥିବାବେଳେ ସେହିବର୍ଷ ଏପ୍ରିଲ୍‌ ୧ରୁ କର୍ମଚାରୀଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିଲା। ଠକେଇରେ ସାମିଲ୍‌ ଥିବା ୮୦ ହଜାର କମ୍ପାନୀ ୮ଲକ୍ଷ ୯୮ ହଜାର ୫ଶହ ୭୬ କର୍ମଚାରୀଙ୍କୁ ନୂତନ ନିଯୁକ୍ତି ଦେଇଥିବା ଦର୍ଶାଇ ୨୦୧୯ ଜୁଲାଇ ୧୬ ମଧ୍ୟରେ ଟଙ୍କା ଠକେଇ କରିଥିଲେ।

Share