ଭରସା ପାଲଟିଛି ୨ଖଣ୍ଡ ବାଉଁଶ

ଜଳେଶ୍ୱର, ୨୫।୫(ସ୍ବ.ପ୍ର)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାଳିପାଳ ପଞ୍ଚାୟତ ଗୋହିରାଖାଳଠାରେ କାଳିକ-ବଜାରଶୋଳ ରାସ୍ତାରେ ବିଜୁ ସେତୁ ଯୋଜନାରେ ୬କୋଟି ୯ଲକ୍ଷ ୫୦ହଜାର ଟଙ୍କା ବ୍ୟୟବରାଦରେ ୪୫ମିଟର ଲମ୍ବର ଏକ ପୋଲ ନିର୍ମାଣ ଚାଲିଛି। ଅମ୍ଫନ ପରେ ଉପର ମୁଣ୍ଡରେ ଅଧିକ ବର୍ଷା ପାଣି ଜମା ହେବାରୁ ଅସ୍ଥାୟୀ ଡାଇଭର୍ଶନ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ସ୍ଥାନୀୟ କେତେକ ଲୋକ ଓ ଶ୍ରୀରାମପୁରର ସରପଞ୍ଚ ଆଲୋକ କୁମାର ଗିରିଙ୍କ ସହାୟତାରେ ତତ୍‌କ୍ଷଣାତ ଯାତାୟାତ ଲାଗି ୨ଖଣ୍ଡ ବାଉଁଶ ପକାଇଥିଲେ। ୫ଦିନ ହେଲା ସ୍ଥାନୀୟ ଲୋକେ ପିଲାଛୁଆଙ୍କୁ ଧରି ସେହି ବାଉଁଶଚାରାକୁ ଭରସା କରି ପାର ହେଉଛନ୍ତି। କିନ୍ତୁ ସେଠାରେ ସାଇକେଲ, ବାଇକ୍‌ କିମ୍ବା ଅନ୍ୟ କୌଣସି ଯାନବାହନ ଯାତାୟାତ ଲାଗି ବ୍ୟବସ୍ଥା ନ ଥିବାରୁ ଲୋକଙ୍କୁ ପ୍ରାୟ ୨୫ କି.ମି. ବୁଲି ହାତୀଗଡ଼ ଦେଇ ଯାତାୟାତ କରୁଛନ୍ତି। ଏ ସମ୍ପର୍କରେ ଶ୍ରୀରାମପୁର ସରପଞ୍ଚ ଆଲୋକ କୁମାର ଗିରି ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି।