ଭରସା ସାଜିଛି ବିପଦସଙ୍କୁଳ ବାଉଁଶ ପୋଲ

ସାକ୍ଷୀଗୋପାଳ, ୨୦ା୭(ଡି.ଏନ୍‌.ଏ.): ରତ୍ନଚିରା ଖଲାସୀ ନାଳପାରି ହେବାପାଇଁ ସ୍ଥାୟୀ ସେତୁଟିଏ ନାହିଁ। ଫଳରେ ପୁରୀଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ମଧୁବନ ମାଳର ଲୋକମାନେ ବିପଦସଙ୍କୁଳ ଭାବେ ବାଉଁଶ ପୋଲରେ ପାରି ହେଉଛନ୍ତି। ବର୍ଷବର୍ଷ ଧରି ସେମାନେ ଏହି ଅସ୍ଥାୟୀ ପୋଲରେ ଯାତାୟାତ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୭ଟି ପରିବାରର ଲୋକଙ୍କର ଜୀବନ ଜୀବିକା ଏହି ବାଉଁଶ ପୋଲ ଉପରେ ନିର୍ଭର କରୁଛି। ବିପଦ ପୂର୍ଣ୍ଣ ଭାବରେ ପ୍ରତିଦିନ ପିଲାମାନେ ସ୍କୁଲ କଲେଜକୁ ଯିବା ଆସିବା କରୁଛନ୍ତି। ସେତୁଟିଏ ନିର୍ମାଣ କରିବାକୁ ପ୍ରଶାସନ ଠାରୁ ରାଜନେତାଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା କ୍ଷୋଭର ସହ କହିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ ସେଠାରେ ପାଦଚଲା ସେତୁଟିଏ ନିର୍ମାଣ ପାଇଁ ୨୦୧୨ ମସିହାରେ ଟେଣ୍ଡର ଡକାଯାଇଥିଲା। ମାତ୍ର ମଞ୍ଜୁର ହୋଇଥିବା ଅନୁଦାନରେ କାମ କରିବା ସମ୍ଭବ ନ ହେବାରୁ ଟେଣ୍ଡର ନେଇଥିବା ଠିକାଦାର ଏହି କାମଟି କରି ପାରି ନ ଥିଲେ। ସେବେଠାରୁ ପୂର୍ବପରି ସମାସ୍ୟାଟି ପଡିରହିଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ମଳୟ ମଞ୍ଜରୀ ମୁଦୁଲି ବିଜୁ ସେତୁ ଯୋଜନାରେ ଏଠାରେ ଏକ ସ୍ଥାୟୀ ସେତୁ ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦେଇଥିବା ପ୍ରସ୍ତାବ କେବଳ ପ୍ରସ୍ତାବରେ ସୀମିତ ରହିଥିବା ଜଣାପଡ଼ିଛି।

Share