ଭରୁନି ତିତ୍‌ଲି କ୍ଷତ :ଏବେ ବି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୭।୧(ସ୍ବ.ପ୍ର.) – ତିତ୍‌ଲି ବାତ୍ୟା ଯିବାର ବର୍ଷେ ପୁରିଲାଣି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଭୟଙ୍କର ବାତ୍ୟା ଓ ଏହା ପରବର୍ତ୍ତି ବର୍ଷାରେ ଘର ନଷ୍ଟ ହୋଇଥିବାବେଳେ ବାତ୍ୟା ସହାୟତା କେବଳ ହଜାରେ ଟଙ୍କା ଓ ୫୦ କେଜି ଚାଉଳରେ ସୀମିତ ରହିଯାଇଛି। ଖରା, ବର୍ଷା ଓ ଶୀତରେ ଭଙ୍ଗା କୁଡ଼ିଆ ହିଁ ଏମାନଙ୍କ ସାହା ଭରସା ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ଆର୍‌. ଉଦୟଗିରି ବ୍ଲକ୍‌ ସୁବଲଡ଼ା ପଞ୍ଚାୟତ ଅଧୀନ ପୁରୁଣା ଗମାଙ୍ଗ ସାହିରେ।
ଏଠାରେ କ୍ଷତିଗ୍ରସ୍ତ ସହଦେବ ଭୁୟାଁ, ପି. ନରସିଂହ ଭୁୟାଁ, ଅଶୋକ ବଡ଼ରଇତ, ମାଧବ ଭୁୟାଁ, ନରେଶ ଚନ୍ଦ୍ର କାର୍ଯୀ, ରାମଚନ୍ଦ୍ର ଭୁୟାଁା ପରିବାର ସହ ବସବାସ କରୁଛନ୍ତି। ଭଙ୍ଗା ଘରେ ବହୁ କଷ୍ଟରେ ଚଳୁଥିବାବେଳେ ରାମଚନ୍ଦ୍ରଙ୍କ ପରିବାରର ସ୍ଥିତି ଜଟିଳ। ବାତ୍ୟାରେ ସମସ୍ତଙ୍କ ଘର ଭାଙ୍ଗିଥିଲେ ମଧ୍ୟ ରାମଚନ୍ଦ୍ରଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ସହାୟତା ପାଇଁ ସେ ଅନେକ ଥର ପ୍ରସାଶନ ନିକଟରେ ଗୁହାରି କରିଥିଲେ ମଧ୍ୟ ଗୃହ ନିର୍ମାଣ ପାଇଁ ସହାୟତା ପାଇନାହାନ୍ତି। ଫଳରେ ବର୍ଷେ ହେଲା ଭଙ୍ଗା କୁଡ଼ିଆ ହିଁ ତାଙ୍କ ସୁରକ୍ଷା ହୋଇଛି। ତେଣୁ ପ୍ରଶାସନ ଏଥବପ୍ରତି ଦୃଷ୍ଟିଦେଇ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବାପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ନାୟକ କହିଛନ୍ତି, ଏ ବିଷୟ ମୋର ନଜରକୁ ଆସିନାହିଁ। ସେହିପରି ପିଇଓ ନିଜ ପ୍ରତିକ୍ରୟାରେ କହିଛନ୍ତି, ଏ ବିଷୟରେ ବୁଝିବାପରେ ପଦକ୍ଷେପ ନିଆଯିବ।

Share