ଭର୍ଚୁଆଲ ରାଲିକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ମୋଦିଙ୍କ ଉପରେ ଦେଶର ଜନତାଙ୍କ ବିଶ୍ୱାସ ବଢ଼ିଛି। ଅନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଅପେକ୍ଷା ୮୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱାସ କରିଛନ୍ତି। ଓଡ଼ିଶାରେ ୧୦୦ରୁ ୯୬ଜଣ ଲୋକଙ୍କର ମୋଦିଜୀଙ୍କ ଉପରେ ଭରସା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କହିଛନ୍ତି। ମହିଳା ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟବାସୀ ଲୋକ ସଭା ନିର୍ବାଚନରେ ଭାଜପା ୩୮.୪% ଭୋଟ ଏବଂ ୮ଜଣ ଲୋକ ସଭା ଏମ୍‌ପିଙ୍କୁ ବିଜୟୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାଙ୍କୁ ଟାଣ କରିଛନ୍ତି। ଓଡ଼ିଶାରେ ଦୀର୍ଘ ୨୦ବର୍ଷ ଧରି ବିରୋଧୀ ଦଳ ଥିବା କଂଗ୍ରେସକୁ ପଛରେ ପକାଇ ରାଜ୍ୟବାସୀ ଭାଜପାକୁ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି। ଗତ ନିର୍ବାଚନରେ ଜନତା ୯୧ଲକ୍ଷରୁ ଅଧିକ ଭୋଟ ଭାଜପାକୁ ଦେଇଛନ୍ତି। ଅନ୍ୟପଟେ ପୂର୍ବ ଭାରତର ବିକାଶକୁ ମୋଦି ସବୁ ସମୟରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ପୂର୍ବ ଭାରତର ବିକାଶ ନ ହେବା ପର୍ଯ୍ୟନ୍ତ ଦେଶରେ ସନ୍ତୁଳିତ ବିକାଶ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଗତ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି। ପୂର୍ବଭାରତର ସିଂହଭାଗ ଲାଭ କେବଳ ଓଡ଼ିଶା ହିଁ ପାଇବ ବୋଲି ଧର୍ମେନ୍ଦ୍ର ମହିଳା ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି କହିଛନ୍ତି। ବର୍ତ୍ତମାନ କରୋନାର ମହାବିପତ୍ତି ସମୟରେ ୪କୋଟି ମହିଳା ଏବଂ ଓଡ଼ିଶାର ୪୦ ଲକ୍ଷ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ଜନଧନ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି। ମୋଦି ସରକାର ୮ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟରେ ୫୦୦କୋଟିରୁ ଊର୍ଦ୍ଧ୍ୱ ଅଗ୍ରିମ ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟିତ୍ୱ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share