ଭୁବନେଶ୍ୱର,୮।୬(ବ୍ୟୁରୋ)-ମୋଦି ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଭର୍ଚୁଆଲ ରାଲିରେ ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଓଡିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାମମନ୍ଦିର ନିର୍ମାଣ, ନାଗରିକତା (ସଂଶୋଧନ) ଆଇନ ପ୍ରୟଣନ, କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କ୍ଷେତ୍ରରେ ସରକାରଙ୍କ ସଫଳତା ବିଷୟରେ ଗୃହମନ୍ତ୍ରୀ ଶାହ ମତବ୍ୟକ୍ତ କରିଛନ୍ତି। ଆୟୁଷମାନ ଭାରତ ଯୋଜନା ମାଧ୍ୟମରେ ମୋଦି ସରକାର ଦେଶର ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ ସେବାର ସୁରକ୍ଷା ପ୍ରଦାନ କରୁଛନ୍ତି। ସେହିପରି ଉଜ୍ଜ୍ୱଳା ଯୋଜନାରେ ୮ କୋଟି ଗରିବ ଲୋକ ରନ୍ଧନ ଗ୍ୟାସ ପାଇପାରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ୧୦ କୋଟି ପରିବାରକୁ ଶୌଚାଳୟ ଓ ଅଢେଇ କୋଟି ପରିବାରକୁ ଘର ଦିଆଯାଇଛି ବୋଲି ଗୃହମନ୍ତ୍ରୀ ଶାହ ପ୍ରକାଶ କରିଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମୋଦି ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭାଜପା ପ୍ରଦେଶ ସଭାପତି ସମୀର ମହାନ୍ତି, ଓଡିଶା ପ୍ରଭାରୀ ଅରୁଣ ସିଂ, ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି।