Advertisement
Categories: ଖେଳ

ଭର୍ଷ୍ଟାପେନଙ୍କୁ ସିଜନର ଦ୍ୱିତୀୟ ଟାଇଟଲ

ହକେନହିମ୍‌ (ଜର୍ମାନୀ), ୨୯ା୭-ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ ଜର୍ମାନ ଫର୍ମୁଲାଓ୍ବାନ ମୋଟର ରେସ୍‌ ଗ୍ରଁାପ୍ରି ଜିତିିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର ୭ମ ଟାଇଟଲ। ଏହି ୨୧ ବର୍ଷୀୟ ଡଚ୍‌ ଡ୍ରାଇଭର ୪ଥର ବିଶ୍ୱ ଚାମ୍ପିୟନ ଫେରାରିର ସେବାଷ୍ଟିଆନ ଭେଟେଲଙ୍କ ଆଗରେ ତାଙ୍କ ରେସ୍‌ ଶେଷ କରିଥିଲେ। ଭେଟେଲ ୨୦ତମ ତଥା ଅନ୍ତିମ ଗ୍ରିଡ୍‌ରୁ ରେସ୍‌ ଆରମ୍ଭ କରିଥିଲେ। ଡାନିଲ କ୍ୟାତ୍‌ ତୃତୀୟ ହୋଇଥିଲେ। ଏହାଥିଲା ତାଙ୍କ କ୍ୟାରିୟରର ତୃତୀୟ ପୋଡିୟମ ଫିନିଶ। ମଝିରେ ମଝିରେ ବର୍ଷା ଯୋଗୁ ରେସ୍‌ଟି ଘଟଣାବହୁଳ ଥିଲା। ମର୍ସିଡିଜ୍‌ ପାଇଁ ରବିବାର ଏକ ଖରାପ ଦିନ ଥିଲା। ଟିମ୍‌ ମୋଟର ସ୍ପୋଟର୍‌ସରେ ଏହାର ୧୨୫ ବର୍ଷ ପୂର୍ତ୍ତି ସହ ଆଧୁନୀକ ଯୁଗରେ ୨୦୦ତମ ଫର୍ମୁଲା ଓ୍ବାନ ଉତ୍ସବ ପାଳନ କରୁଥିବାବେଳେ ଏଠାରେ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ୫ଥର ଡିଫେଣ୍ଡିଂ ଚାମ୍ପିୟନ ଲୁଇସ୍‌ ହାମିଲଟନ ଏବଂ ତାଙ୍କ ଟିମ୍‌ମେଟ୍‌ ଭାଲଟେରି ବୋଟ୍ଟାସ କୌଣସି ସ୍କୋର କରିବାରେ ବିଫଳ ହୋଇଥିଲେ। ୬ ପିଟ୍‌-ଷ୍ଟପ୍‌ ପରେ ହାମିଲଟନ ୧୧ତମ ସ୍ଥାନ ଅଧିକାର କରିଥିଲା। ଗତ ୨୩ଟି ରେସ୍‌ ମଧ୍ୟରେ ସେ ପ୍ରଥମ ଥର ପଏଣ୍ଟ ସ୍କୋର କରିବାରେ ବିଫଳ ହୋଇଛନ୍ତି। ରେସିଂ ପଏଣ୍ଟର ଲାନ୍ସ ଷ୍ଟୋଲ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଟିମ୍‌ର ଏହାହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ଷ୍ଟୋଲ୍‌ ମ୍ୟାକଲରେନର କାର୍ଲୋସ ସେଞ୍ଜ, ଟୋରୋ ରୋସୋର ଆଲେକ୍ସ ଆଲବନ ଏବଂ ଆଲ୍‌ଫା ରୋମିଓର କିମି ରାଇକୋନେନ୍‌ଙ୍କଠାରୁ ଆଗରେ ରହିଥିଲେ। ସେହିପରି ଯଥାକ୍ରମେ ଆଲ୍‌ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଓ ଟିମ୍‌ମେଟ କେଭିନ୍‌ ମାଗନସେନଙ୍କଠାରୁ ଆଗରେ ହାସ୍‌ର ରୋମେନ୍‌ ଗ୍ରୋସ୍‌ଜେଁ ୮ମ ସ୍ଥାନ ଅଧିକାର କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel