ଭଲ ଚରିତ୍ର ଆଶାରେ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତା

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଚନ୍ଦ୍ରଚୁଡ଼ ସିଂହ ୧୯୯୬ରେ ଫିଲ୍ମ ‘ତେରେ ମେରେ ସପ୍‌ନେ’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ତାଙ୍କୁ ପ୍ରକୃତ ସଫଳତା ମିଳିଥିଲା ‘ମାଚିସ’ରେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନବାଗତ କଳାକାର ରୂପେ ପୁରସ୍କୃତ ହୋଇଥିଲେ। ଆଜି ଅର୍ଥାତ୍‌ ଅକ୍ଟୋବର ୧୧ ହେଉଛି ଏହି ଚକୋଲେଟ ହିରୋଙ୍କ ଜନ୍ମଦିନ।
‘ମାଚିସ୍‌’ ପରେ ଚନ୍ଦ୍ରଚୁଡ଼ ‘କ୍ୟା କେହେନା’ ଏବଂ ‘ଜୋସ୍‌’ ପରି ଅନେକ ସଫଳ ସିନେମା ଭେଟି ଦେଇଛନ୍ତି। ପାଖାପାଖି ୧୨ଟି ସିନେମାରେ ଅଭିନୟ କରିବା ପରେ ସେ ଦୀର୍ଘ ବର୍ଷ ଧରି ଅଭିନୟ ଦୁନିଆରୁ ଗାଏବ ହୋଇଯାଇଥିଲେ ହେଁ ୨୦୧୨ ମସିହାରେ ଏକାସାଙ୍ଗରେ ସେ ୩ଟି ସିନେମା ମାଧ୍ୟମରେ ପୁଣି ଫେରିଥିଲେ। ଫିଲ୍ମଗୁଡିକ ଥିଲା ‘ଚାର ଦିନ କି ଚାନ୍ଦନୀ’, ‘ଜିଲା ଗାଜିୟାବାଦ’ ଏବଂ ‘ଦି ରିଲକ୍ଟାଣ୍ଟ ଫଣ୍ଡାମେଣ୍ଟାଲିଷ୍ଟ’। ଏହି ସମୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯିବାର କାରଣ ମଧ୍ୟ କହିଥିଲେ। ଉକ୍ତ ସମୟରେ ତାଙ୍କୁ ଅନେକ ସିନେମାରେ ଅଫର ମିଳୁଥିଲା। ମାତ୍ର ସେ କିଛି ଭିନ୍ନ ଚରିତ୍ରରେ କାମ କରିବାକୁ ଚାହୁଁଥିଲେ। ଭଲ ଚରିତ୍ର ନ ମିଳିବାରୁ ସେ ଅଭିନୟରୁ ଦୂରେଇ ଯାଇଥିବା କହିଥିଲେ। ଇତି ମଧ୍ୟରେ ସେ କେତୋଟି ସିନେମାରେ ଅତିଥି କଳାକାର ଚରିତ୍ରରେ କାମ କରିଛନ୍ତି। ୨୦୦୦ ମସିହାରେ ତାଙ୍କର ଦୁର୍ଘଟଣା ହୋଇଥିଲା। ଏଥିରେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ଫଳରେ ତାଙ୍କର ଅଭିନୟ ଜୀବନ ରେ ପୂୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ପାଖାପାଖି ୧୦ ବର୍ଷ ସମୟ ଲାଗିଥିଲା। ଫିଲ୍ମ ‘ଚାର ଦିନ କି ଚାନ୍ଦନୀ’ ମାଧ୍ୟମରେ ପୁଣିଥରେ ସେ ଅଭିନୟକୁ ଫେରିଥିଲେ। ଅଭିନୟରେ ପାଦ ଦେବା ପୂର୍ବରୁ ସେ ଡନ୍‌ ୟୁନିଭର୍ସିଟିରେ ମ୍ୟୁଜିକ୍‌ ଟିଚର ଭାବେ କାମ କରୁଥିବା କୁହାଯାଏ।

Share