Categories: ଖେଳ

ଭଲ ପିଚ୍‌ ଟେଷ୍ଟ କ୍ରିକେଟକୁ ଆଗକୁ ନେବ: ସଚିନ

ମୁମ୍ବାଇ, ୨୫।୮(ପି.ଟି.): କ୍ରିକେଟର ସବୁ ଲମ୍ବା ଫର୍ମାଟ କୁହାଯାଉଥିବା ଟେଷ୍ଟର ଲୋକପ୍ରିୟତାକୁ ବଞ୍ଚାଇ ରଖିବାକୁ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରୟାସ ଜାରି ରଖିଛି। କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ମଧ୍ୟ ଏ ନେଇ ନିଜର ପରାମର୍ଶ ଦେଇଛନ୍ତି। ଟେଷ୍ଟ ଫର୍ମାଟକୁ ବଞ୍ଚାଇ ରଖିବା ସହ ଆଗକୁ ନେବାକୁ ହେଲେ ଭଲ ପିଚ୍‌ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯିବା ଦରକାର। ଭଲ ପିଚ୍‌ରେ ଖେଳାଗଲେ ଟେଷ୍ଟ ଉପଭୋଗ୍ୟ ହୋଇପାରିବ ବୋଲି ସଚିନ କହିଛନ୍ତି। ଚଳିତ ଆଶେସର ଉଦାହରଣ ଦେଇ ସଚିନ କହିଛନ୍ତି ଯେ, ଏହି ହାଇପ୍ରୋଫାଇଲ ସିରିଜରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମଳିଛି ଓ ଏହା ମଧ୍ୟ ବେଶ୍‌ ଉପଭୋଗ୍ୟ ହୋଇ ପାରିଛି। ଉନ୍ନତ ତଥା ଭଲ ପିଚ୍‌ ଉପରେ ଆଶେସ ଖେଳାଯାଉଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। ଯଦି ଭଲ ପିଚ୍‌ ପ୍ରସ୍ତୁତ କରାଯାଏ ତେବେ ଟେଷ୍ଟ ହେଉ କି ଦିନିକିଆ ଆଦୌ ଅରୁଚିକର ହେବ ନାହିଁ। ଏହା ହୋଇପାରିଲେ ଭଲ ବୋଲିଂ, ବ୍ୟାଟିଂ ଦେଖିବାକୁ ମିଳିପାରିବ।
ଲଡର୍‌ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଦେଢ଼ ଦିନର ଖେଳ ସମ୍ଭବ ହୋଇପାରି ନ ଥିଲା। ତେବେ ଏହା ସତ୍ତ୍ୱେ ଅନ୍ତିମ ଦିବସରେ ରୋମଞ୍ଚକ ମୋଡରେ ମ୍ୟାଚ୍‌ ପହଞ୍ଚିଥିଲା। ଇଂଲଣ୍ଡ କେତୋଟି ଉଇକେଟ ନେବା ପରେ ଅଷ୍ଟ୍ରେଲିଆକୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ଅବଶ୍ୟ ଏବେ ଟେଷ୍ଟ କ୍ରିକେଟ ବେଶ୍‌ ରୋମାଞ୍ଚକ ହୋଇଛି।
ଦିନିକିଆ ବିଶ୍ୱକପ୍‌ ପରେ ସବୁ ଦଳଗୁଡିକ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଉପରେ ମନୋନିବେଶ କରିଛନ୍ତି। ଏହି ଚାମ୍ପିୟନଶିପ୍‌ ଆଶେସ୍‌ରୁ ହିଁ ଆରମ୍ଭ ହୋଇଛି। ଏବେ ପ୍ରଶଂସକ ଟେଷ୍ଟକୁ ନେଇ ଚର୍ଚ୍ଚା କରୁଛନ୍ତି। ୨୦୦ଟି ଟେଷ୍ଟ ଖେଳି ବିଶ୍ୱରେକର୍ଡ ସ୍ଥାପନ କରିଥିବା ତେନ୍ଦୁଲକର ୧୫, ୯୨୧ ରନ ସଂଗ୍ରହ କରିଛନ୍ତି। ଉଭୟ ବୋଲିଂ ଓ ବ୍ୟାଟିଂକୁ ସୁହାଉଥିବା ଟ୍ରାକ ଟେଷ୍ଟକୁ ବଞ୍ଚାଇ ରଖିପାରିବ। ଯଦି ଶୁଖିଲା ଓ ଫ୍ଲାଟ ପିଚ୍‌ରେ ଟେଷ୍ଟ ଖେଳାଯାଏ ତାହାଲେ ସମସ୍ତଙ୍କୁ ନିରାଶ ହେବାକୁ ପଡିବ। ମୁମ୍ବାଇ ହାଫ୍‌ ମାରାଥନରେ ଯୋଗ ଦେବା ଅବସରରେ ସଚିନ ଏହି କଥା କହିଛନ୍ତି।

Share