କୋହଲିଙ୍କ ଉଇକେଟ ଲକ୍ଷ୍ୟରେ ଅଲି

ବର୍ମିଂହାମ,୨୯।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଏଠାରେ ଚଳିତ ବିଶ୍ୱକପ୍‌ର ମ୍ୟାଚ୍‌ ଖେଳାଯିବ। ଆୟୋଜକ ଦଳ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ଦଳର ଅଲରାଉଣ୍ଡର ମୋଏନ ଅଲି ନିଜ ପାଇଁ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି। ବଡ଼ ମ୍ୟାଚ୍‌ରେ କୋହଲିଙ୍କ ଉଇକେଟର ମୂଲ୍ୟ ବହୁତ ବଢ଼ିଯାଏ। ଏଣୁ କୋହଲିଙ୍କ ଉଇକେଟ ହାତେଇବାକୁ ମୁଁ ଉଦ୍ୟମ କରିବି। ଏହାଦ୍ୱାରା କୋହଲି ଓ ମୋ ମଧ୍ୟରେ ଥିବା ବନ୍ଧୁତ୍ୱ ବାଧାପ୍ରାପ୍ତ ହେବ ନାହିଁ ବୋଲି ଅଲି କହିଛନ୍ତି। କୋହଲି ଏପର୍ଯ୍ୟନ୍ତ ଚଳିତ ବିଶ୍ୱକପ୍‌ରେ ଶତକ ଲଗାଇ ପାରିନାହାନ୍ତି। ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ଇଂଲଣ୍ଡ ଫେଭରାଇଟ୍‌ ଥିଲେ। ସେମିଫାଇନାଲଠାରୁ ଭାରତ ଆଉ ଗୋଟିଏ ବିଜୟ ଦୂରରେ ଥିବାବେଳେ ଗୋଟିଏ ପରାଜୟ ଇଂଲଣ୍ଡକୁ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ ପକାଇପାରେ। କୌତୂହଳର ବିଷୟ ହେଉଛି, ଗତ ଦୁଇଟି ଦିନିକିଆରେ ଖରାପ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ଦିନିକିଆ ଦଳଗତ ର଼୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନକୁ ଖସିଛି। ଫଳରେ ଭାରତ ନଂ ୧ ମାନ୍ୟତା ହାସଲ କରିଛି।

Share