Categories: ଜାତୀୟ

ଭଲ ବ୍ୟବହାର ପାଇଁ କୋହଳ ହେବନି ଫାଶୀଦଣ୍ଡାଦେଶ

ନୂଆଦିଲ୍ଲୀ,୨୪ା୧(ପି.ଟି.):ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ ଯଦି ଦୋଷୀସାବ୍ୟସ୍ତ ହେବା ପରେ ଜେଲ୍‌ରେ ଭଲ ବ୍ୟବହାର ଦେଖାନ୍ତି, ତେବେ ସେମାନଙ୍କୁ ଦଣ୍ଡରୁ ମୁକ୍ତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଏପରି ହେଲେ ମୃତ୍ୟୁଦଣ୍ଡାଦେଶ ପାଇଥିବା କୌଣସି ଅପରାଧୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ୍‌.ଏ. ନାଜିର ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି।
ପରିବାରର ୭ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିବା ଶବନମ୍‌ ଓ ତାଙ୍କ ପ୍ରେମିକ ସଲିମ ଦଣ୍ଡରୁ ମୁକ୍ତି ପାଇବା ପାଇଁ ରିଭ୍ୟୁ ପିଟିଶନ ଦାଏର କରିଥିଲେ। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉପରୋକ୍ତ ମତ ରଖିଛନ୍ତି। ସଲିମ ଓ ଶବନମ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଉଭୟେ ବିବାହ କରିବାକୁ ଚାହୁଁଥିଲେ। ତେବେ ଶବନମ୍‌ଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ଫଳରେ ୨୦୦୮ ଏପ୍ରିଲ ୧୫ରେ ଉଭୟେ ମିଶି ଶବନମ୍‌ଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ମାମଲାର ବିଚାର କରି ସେସନ୍ସ କୋର୍ଟ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ଓ ୨୦୧୫ରେ ସର୍ବୋଚ୍ଚ ଅଦାଲତ ଏହାକୁ କାଏମ ରଖିଥିଲେ।

Share