ଭଲ ଲାଗୁଥିବା ଯାଏ ଯାତ୍ରାରେ ଥିବି: ଜ୍ୟୋତ୍ସ୍ନାରାଣୀ

ନା ଆଗରୁ ଯାତ୍ରା କରିଥିଲେ ନା ଅଭିନୟରେ ତାଲିମ୍‌ ନେଇଥିଲେ। ତେବେ ଯାତ୍ରା ପ୍ରତି ରୁଚି ରହିଥିଲା। ଅଚାନକ ମିଳିଗଲା ସୁଯୋଗ। ତ ଚାଲି ଆସିଲେ ଯାତ୍ରାକୁ। ଏବେ ସେ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ପରିଚିତ ଅଭିନେତ୍ରୀ। ସେ ହେଉଛନ୍ତି ଜ୍ୟୋତ୍ସ୍ନାରାଣୀ ନାୟକ। ତେବେ ଯାତ୍ରାରେ ସେ କେବଳ ରୋଜୀ ବୋଲି ପରିଚିତ। ଭଦ୍ରକରେ ଜନ୍ମିତା ରୋଜୀ ୨୦୧୭ରେ ଆସନ୍ତି ଯାତ୍ରାକୁ। ଯୋଗଦିଅନ୍ତି ଇଷ୍ଟର୍ଣ୍ଣ ରେଡ୍‌ ଗଣନାଟ୍ୟରେ। ପ୍ରାୟ ଅଭିନେତ୍ରୀଙ୍କ ଯାତ୍ରା କ୍ୟାରିିୟର ଡ୍ୟାନ୍ସରୁ ଆରମ୍ଭ ହୋଇଥିଲେ ମଧ୍ୟ ରୋଜୀଙ୍କ କ୍ଷେତ୍ରରେ ସେମିତି ଘଟି ନ ଥିଲା। ତାଙ୍କୁ ସିଧାସଳଖ ମିଳିଥିଲା ନାଟକରେ ଅଭିନୟର ସୁଯୋଗ। ସେ ପାଞ୍ଚ ପଇସାର ସ୍ବାମୀ, କହିଦେଲେ ମୁଁ ମରିଯିବୁ ତୁ, ଗଁାରୁ ଆସିଛି ଗଉରୀ ନାନୀ ଭଳି ନାଟକରେ ଅଭିନୟ କରି ନିଜ ଭିତରେ ଥିବା ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ। ଏହାପରେ ଆସିଲେ ପାର୍ବତୀ। ଏବେ ରାଜଧାନୀ ଅପେରାରେ ଅଭିନୟ ଜାରି ରଖିଛନ୍ତି। ତାଙ୍କ ଅଭିନୀତ ଅନ୍ୟ ନାଟକ ଗୁଡ଼ିକ ମଧ୍ୟରେ ରହିଛି ଲକ୍ଷେ ଶିବ ପୂଜି ପାଇଛି ତତେ, କେମିତି ଅଛ ନିହାରୀକା, ଭୁଲ ହେଇଗଲା ତତେ ଭଲପାଇ, କଳିଯୁଗର କୁନ୍ତୀ। ଉଭୟ ପଜିଟିଭ୍‌ ଏବଂ ନେଗେଟିଭ୍‌ ଭୂମିକାରେ ବେଶ୍‌ ସୁନ୍ଦର ଭାବରେ ଅଭିନୟ କରିପାରନ୍ତି ରୋଜୀ। ତାଙ୍କ କହିବା ମୁତାବକ ଅଭିନୟ ହେଉଛି ଅଭିନୟ। ତେଣୁ ଯାହା ବି ଭୂମିକା ମିଳୁ ତାହାକୁ ସେ ଯଥାସାଧ୍ୟ ନ୍ୟାୟ ଦେଇ ଜୀବନ୍ତ କରିବେ। ଏହା ହେଉଛି ଜଣେ ଭଲ କଳାକାରର ଲକ୍ଷଣ। ଏଯାବତ୍‌ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରୁ ସେ ‘କହିଦେଲେ ମୁଁ ମରିଯିବୁ ତୁ’ ନାଟକରେ ଅଭିନୟ କରି ବେଶ୍‌ ଆତ୍ମସନ୍ତୋଷ ଲାଭ କରିଛନ୍ତି। କାରଣ ଏଥିରେ ଅଭିନୟ କରିବାର ଭରପୂର ସୁଯୋଗ ରହିଥିଲା। ପୁଣି ଚରିତ୍ରଟି ମଧ୍ୟ ତାଙ୍କ ମନଲାଖି ଥିଲା। ଯାତ୍ରାକୁ ଭଲ ପାଉଥିବା ରୋଜୀ କହନ୍ତି, ଯାତ୍ରାକୁ ସେ ପେସା ଭାବରେ ଗ୍ରହଣ କରିନାହାନ୍ତି। ଯାତ୍ରା ତାଙ୍କର ଗୋଟେ ନିଶା। ତେଣୁ ଯେତେଦିନ ଯାଏ ଯାତ୍ରା ତାଙ୍କୁ ଭଲ ଲାଗୁଥିବ ଆଉ ଦର୍ଶକମାନଙ୍କର ଭଲପାଇବା ମିଳୁଥିବ ସେତେଦିନ ପର୍ଯ୍ୟନ୍ତ ସେ ଯାତ୍ରାରେ ରହିଥିବେ। ଦର୍ଶକଙ୍କର ମନୋରଞ୍ଜନ କରୁଥିବେ।

Share