ଭସାଣି ଶୋଭାଯାତ୍ରାବେଳେ ଗୋଷ୍ଠୀ ବିବାଦ

ଦିଗପହଣ୍ଡି,୬ା୯(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଗୁରୁବାର ଅପରାହ୍ନରେ ଅସବର୍ଣ୍ଣ ଗୋଷ୍ଠୀଙ୍କ ପକ୍ଷରୁ ନିରଞ୍ଜନ ନାୟକ, ନକୁଳ ନାୟକ, ତାରିଣୀ ବଡ଼ ପରିଜା, ରମେଶ ବେହେରା, ସୁଦାମ ନାୟକ, ସହଦେବ ନାୟକ, ବଳରାମ ନାୟକ ସରପଞ୍ଚ ବାବୁଲା ମଲ୍ଲିକଙ୍କୁ ସମସ୍ତ ଘଟଣା ଅବଗତ କରିବାପରେ ପାଟପୁର ଥାନାରେ ଏତଲା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ସବର୍ଣ୍ଣ ଗୋଷ୍ଠୀର ଯୁବକମାନେ ଗଁାରେ ଶୋଭାଯାତ୍ରା କରି ଭସାଣି ଉତ୍ସବ ସାରିଥିଲେ। ପରେ ଅସବର୍ଣ୍ଣ ଗୋଷ୍ଠୀଙ୍କ ଭସାଣି ଶୋଭାଯାତ୍ରାକୁ ସବର୍ଣ୍ଣ ଗୋଷ୍ଠୀ ବିରୋଧ କରିଥିଲେ। ପ୍ରତିବାଦ କରିବାରୁ ରାତି ପ୍ରାୟ ସାଢ଼େ ୭ଟାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଓ ଧାସ୍ତାଧସ୍ତି ହୋଇଥିଲା। ସେଥିରେ ଅସବର୍ଣ୍ଣ ଗୋଷ୍ଠୀର ୧୦ରୁ ଊର୍ଦ୍ଧ୍ୱ ମହିଳା ଓ ଯୁବକ ଆହତ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି। ଗତ ବିଧାନସଭା ନିର୍ବାଚନ ପରଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକପଞ୍ଝା ଲାଗି ରହିଛି। ଅସବର୍ଣ୍ଣ ଲୋକଙ୍କୁ ଭୋଜି କାର୍ଯ୍ୟ ନିମନ୍ତେ କଲ୍ୟାଣ ମଣ୍ଡପ ଦିଆଯାଉନାହିଁ, ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଥିବା ନଳକୂପରୁ ପାଣି ନେବା ପାଇଁ ବାରଣ କରାଯାଇଛି। ପୋଖରୀ ତୁଠ ବ୍ୟବହାର କରିବାକୁ ଦିଆଯାଉନାହିଁ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ପ୍ରକଳ୍ପ ଖରାପ ହେବା ପରେ ମରାମତି ପାଇଁ ଦୀର୍ଘ ଦିନ ହେଲା ଲୋକେ ଦାବି କରୁଥିଲେ ମଧ୍ୟ ସବର୍ଣ୍ଣ ଲୋକଙ୍କ ଚାପରେ ମରାମତି ହେଉ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷେ ସବର୍ଣ୍ଣ ଗୋଷ୍ଠୀଙ୍କ ପକ୍ଷରୁ ଅରୁଣ ସାହୁ, ଗଙ୍ଗାଧର ସାହୁ, ସମ୍ବାରୁ ସାହୁ, ବୁଲୁ ସାହୁ, ନିରଞ୍ଜନ ସାହୁ, ରବି ସାହୁ, ଉମା ସାହୁ ପ୍ରମୁଖ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ ପାଇଁ ଶୁକ୍ରବାର ଉଭୟ ଗୋଷ୍ଠୀର ମୁଖିଆମାନଙ୍କୁ ଥାନାକୁ ଡାକିଥିବା ଜଣାପଡିଛି।