Advertisement

ଭାଇଘରେ ପହଞ୍ଚି ପାରିଲେନି ଭଉଣୀ: ଟ୍ରେନ ଧକ୍କାରେ ଜୀବନ ଗଲା

କେନ୍ଦୁଝର, ୯ା୩(ସ୍ବ.ପ୍ର.): ଭାଇଘରେ ପହଞ୍ଚିପାରିଲେନି ଭଉଣୀ। ଟ୍ରେନ ଧକ୍କାରେ ଅଧାବାଟରେ ଜୀବନ ଚାଲିଗଲା। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ ବେଦପଳସା ଅଞ୍ଚଳରେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବୋଦପଳସା ଗ୍ରାମର ଗୌରୀ ପଣ୍ତା ନାମ୍ନୀ ମହିଳା ରବିବାର ରାତିରେ ରାଇସୁଆଁ ରେଳବିଭାଗର ରେଳଫାଟକରେ ଚ଼ାକିରି କରୁଥିବା ସାନ ଭାଇ ରଶ୍ମିରଞ୍ଜନ ମିଶ୍ରଙ୍କ ପାଖକୁ ଯିବେ ବୋଲି ତାଙ୍କ ଭାଇଙ୍କ ସହିତ ଫୋନରେ କଥା ହୋଇଥିଲେ। ସୋମବାର ସକାଳେ ସେ ଘରୁ ବାହାରି ରେଳଧାରଣାରେ ଚ଼ାଲି ଚ଼ାଲି ରାଇସୁଆଁ ଯାଉଥିଲେ। ତାଙ୍କର କାନରେ ସମସ୍ୟା ଥିବାରୁ ସେ ଭଲ ଭାବେ ଶୁଣି ପାରୁ ନ ଥିଲେ। ଏହି ରେଳଧାରଣା ଦେଇ ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନ ଯାଉଥିବା ବେଳେ ବହୁବାର ହର୍ଣ୍ଣ ମରାଯାଇଥିଲେ ବି ତାଙ୍କୁ ଶୁଭି ନ ଥିଲା। ଫଳରେ ଗମ୍ବାରିଆ ପୋଖରୀ ପାଖ ଟ୍ରାକ ନିକଟରେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଟାଉନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚ଼ିକିତ୍ସାଳୟକୁ ପଠାଇଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share