Categories: ଜାତୀୟ

ଭାଇଙ୍କୁ ମିଳିଲାନି ‘ମୁଖ୍ୟମନ୍ତ୍ରୀ’ ପଦ, ଭାବପ୍ରବଣ ହେଲେ ଭଉଣୀ

ଭୋପାଳ,୧୨।୧୨: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋହନ ଯାଦବ। ଭାଜପା ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପଦ ପାଇଁ ମୋହନ ଯାଦବଙ୍କ ନାମ ରଖିଥିଲେ। ବର୍ତ୍ତମାନ ଏହି ସମୟରେ ପୂର୍ବତନ ସିଏମ ଶିବରାଜ ସିଂ ଚୌହାନଙ୍କ ନିଜ ପ୍ରିୟ ଭଉଣୀମାନଙ୍କ ସହ ଏକ ଭାବପ୍ରବଣ ଭିଡିଓ ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ତାଙ୍କ ପ୍ରିୟ ଭଉଣୀମାନେ ପୂର୍ବତନ ସିଏମ ଶିବରାଜଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଭଉଣୀମାନେ ଶିବରାଜଙ୍କୁ ଆଲିଙ୍ଗନ କରି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଭଉଣୀମାନେ କାନ୍ଦୁଥିବା ଦେଖି ଶିବରାଜ ମଧ୍ୟ ଭାବପ୍ରବଣ ଦେଖାଯାଉଥିଲେ।
ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଶିବରାଜ ସିଂ ନିଜେ ସ୍ପଷ୍ଟ କରିଥିଲେ ଯେ, ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହାଁନ୍ତି। ପରେ ତାହା ସତ ହୋଇଥିଲା। ଏବେ ତାଙ୍କୁ ଦିଲ୍ଲୀ ଡକାଯାଇପାରେ ଏବଂ ସେ ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ପାଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।

Share