ଭାଇଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଲେ ସାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ଅଚାନକ ପରଲୋକ ଘଟିଛି। ଏଥିରେ ଭାଙ୍ଗିପଡିଛନ୍ତି ତାଙ୍କ ଭାଇ ସାଜିଦ୍‌ ଖାନ୍‌। ସେ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏକ ଭାବପ୍ରବଣ ମେସେଜ୍‌ ଲେଖିଛନ୍ତି। ଭିଡିଓରେ ଓ୍ବାଜିଦ୍‌ ହସ୍ପିଟାଲ୍‌ ବେଡ୍‌ରେ ବସି ପିଆନୋ ବଜାଉଥିବାର ଦେଖାଯାଇଛି। ସବୁ କିଛି ପରେ ନା ତୁ ମ୍ୟୁଜିକ୍‌ ଛାଡିଲୁ,ନା ମ୍ୟୁଜିକ୍‌ ତୋତେ କେବେ ଛାଡିବ। ମୋ ଭାଇ କିମ୍ବଦନ୍ତୀ। ଆଉ କିମ୍ପଦନ୍ତୀ କେବେ ମରନ୍ତି ନାହିଁ। ମୁଁ ସବୁବେଳେ ତୋତେ ଭଲ ପାଇବି। ମୋ ଖୁସି, ପ୍ରାର୍ଥନା ଏବଂ ମୋ ନାଁରେ ତୁ ସବୁବେଳେ ରହିବୁ ବୋଲି ସାଜିଦ୍‌ ଲେଖିଛନ୍ତି।
ସାଜିଦ୍‌ ନିଜ ଭାଇଙ୍କ ସହ ମିଶି ବଲିଉଡ୍‌ରେ ଅନେକ ଲୋକପ୍ରିୟ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ। ଅଭିନେତା ସଲମାନ ଖାନ୍‌ଙ୍କ ସେ ଅତି ପ୍ରିୟ ଯୋଡି ଥିଲେ। ୧୯୯୮ରେ ସେ ସଲମାନଙ୍କ ଫିଲ୍ମ ପ୍ୟାର୍‌ କିୟା ତୋ ଡର୍‌ନା କିୟାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।ଏହାପରେ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ଏକ ଆଲବମ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ଏହି ଆଲବମ୍‌ର ଗୀତ ଅବ୍‌ ମୁଝେ ରାତ୍‌ ଦିନ୍‌.., ଇସ୍‌ କଦର୍‌ ପ୍ୟାର୍‌ ହୈ ଗୀତଗୁଡିକ ବେଶ୍‌ ଲୋକପ୍ରିୟ ହୋଇଥିଲା। ସାଜିଦ୍‌-ଓ୍ବାଜିଦ୍‌ ଯୋଡି ନାମରେ ବଲିଉଡରେ ପରିଚିତ ଥିଲେ।

Share