ବେଙ୍ଗାଲୁରୁ, ୧୦।୯: ଗୋଟିଏ ସପ୍ତାହରେ ହିନ୍ଦୁଙ୍କ ଗଣେଶ ପୂଜା ଏବଂ ମୁସଲମାନ ସମ୍ପଦାୟର ମହରମ୍ ପର୍ବ ବହୁ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ କର୍ନାଟକର ହୁବଲୀ ଜିଲାରେ ଭାଇଚାରାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ପେଣ୍ଡାଲରେ ଗଣେଶ ପୂଜା ଏବଂ ମହରମ୍ ପାଳନ କରାଯାଇଛି। ଫଳରେ ଉଭୟ ସମ୍ପଦାୟର ଲୋକେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି। ଏହା ମାଧ୍ୟମରେ ଏକ ଧାର୍ମିକ ସୌହାର୍ଦ୍ଦ୍ୟ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କେବଳ ଗଣେଶ ପୂଜା ଏବଂ ମହରମ୍ ନୁହେଁ ଏଠାରେ ହିନ୍ଦୁ ଏବଂ ମୁସଲମାନ ଭଉଣୀଭାଇ ମିଶି ସବୁ ପର୍ବ ଏକାଠି ପାଳନ କରିଥାନ୍ତି। ଏହି ଗାଁରେ ପାଖାପାଖି ୪ ହଜାର ଲୋକ ବାସ କରନ୍ତି। ସମସ୍ତେ ମିଳିମିଶି ରୁହନ୍ତି।