Advertisement

ଭାଇଚାରା ଯାତ୍ରା ସାରି ଫେରିଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨୬ା୧୧: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଗତ ୯ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ । ଏହି ରାୟକୁ ସ୍ବାଗତ ଜଣାଇ ଶ୍ରୀଜଗନ୍ନାଥ ସେନା ପୁରୀରୁ ଭାଇଚାରାର ବାର୍ତ୍ତା ଦେଇଥିଲା। ବଡ଼ଦାଣ୍ଡସ୍ଥିତ ଭକ୍ତ ସାଲବେଗ ପୀଠରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଏପରି କି ବିଦେଶୀ ଇସ୍କନ ଭକ୍ତ ଏକାଠି ହୋଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ କରିଥିଲେ। ପରସ୍ପରକୁ ମିଠା ଖୁଆଇ ଆମେ ସବୁ ଭାଇ -ଭାଇର ବାର୍ତ୍ତା ଦେଇଥିଲେ। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସବୁ ଧର୍ମାଲମ୍ବୀମାନଙ୍କୁ ଫୁଲମାଳ ଓ ଟିକା ପିନ୍ଧାଯାଇ ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ଗତ ୨୦ ତାରିଖରେ ଶ୍ରୀଜଗନ୍ନାଥ ସେନା ଅଯୋଧ୍ୟା ଅଭିମୁଖେ ଭାଇଚାରା ଯାତ୍ରା କରିଥିଲା। ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଯାତ୍ରାରେ ସାମିଲ ଥିବା ସେନାର କର୍ମକର୍ତ୍ତାମାନେ ସାଥୀରେ ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ, ଦୁଇଖଣ୍ଡ ଖଣ୍ଡୋଲାଇଟ୍‌ ପଥର ଓ ପତିତପାବନ ବାନା ନେଇଥିଲେ। ଅଯୋଧ୍ୟା ଗସ୍ତ ଶେଷ କରି ସେନା କର୍ମକର୍ତ୍ତା ଫେରିଛନ୍ତି। ମଙ୍ଗଳବାର ଏହି ଭାଇଚାରା ଯାତ୍ରା ସ୍ଥାନୀୟ କବୀର ଚଉରାଠାରେ ଶେଷ ହୋଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଲାଲା ନ୍ୟାସ ଟ୍ରଷ୍ଟକୁ ସିଧାସଳଖ ୧ଲକ୍ଷ ୧ଟଙ୍କା ପ୍ରଦାନ କରାଯାଇଛି। ମାତ୍ର ମସ୍‌ଜିଦ ପାଇଁ କୌଣସି ଟ୍ରଷ୍ଟ ନ ଥିବାରୁ ଫୈଜାବାଦ ପୋଲିସ ଜିମାରେ ୧ଲକ୍ଷ ୧ଟଙ୍କା ଦାନ ଅର୍ଥ ଦାଖଲ କରାଯାଇଛି। ପରେ ଏହା ମସ୍‌ଜିଦ ଟ୍ରଷ୍ଟକୁ ଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel