ଭାଇଚାରା ସୃଷ୍ଟି କରେ ଝୋଡ଼ିଆ ପରଜାଙ୍କ ପୁଷ୍‌ ପରବ

ଟିକିରି,୨୪ ।୧(ଡି.ଏନ୍‌.ଏ.)

ରାୟଗଡା ଜିଲା କାଶୀପୁର ବ୍ଲକ ଝୋଡ଼ିଆ ପରଜାଙ୍କ ନିଆରା ପରବ ପୁଷ୍‌ ପରବ ଶେଷ ହୋଇଛି। ଏହା ସେମାନେ ପରମ୍ପରା ଅନୁଯାୟୀ ବିଶ୍ୱାସର ସହ ପାଳନ କରିଥାନ୍ତି। ଏହି କାଶୀପୁର ବ୍ଲକର ସମସ୍ତ ଝୋଡ଼ିଆ ପରଜା ଗ୍ରାମ ଉତସବ ମୁଖରିତ ହୋଇପଡିଛି। ପୁଷ ପୂର୍ଣ୍ଣିମାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରିଥାନ୍ତି । ଭଲ ଫସଲ ଅମଳ ସହ ଘରେ ରିଦ୍ଧିସିଦ୍ଧିର ବୃଦ୍ଧି ଏବଂ ସକଳ ସିଦ୍ଧିଲାଭ ହୋଇଥାଏ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ନିଜ ଗ୍ରାମ ଇଷ୍ଟ ଦେବୀଙ୍କୁ ସନ୍ତୁଷ୍ଟ କରିବା ଲାଗି କାହିଁ କେଉଁ କାଳରୁ ଏହି ପରବ ସେମାନେ ପାଳନ କରି ଆସୁଛନ୍ତି । ଏହାକୁ ଗ୍ରାମରେ ୩/୪ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଏନେଇ ଗ୍ରାମର ଜାନି ଗାଉଟିଆମାନେ ଗ୍ରାମରେ ଥିବା ନିଶାଣି ମୁଣ୍ଡାରେ ବସି ପୂଜାର୍ଚ୍ଚନା କରି ସମୟ ତିଥି ବାର ସ୍ଥିର କରନ୍ତି। ପରେ ଗ୍ରାମର ପ୍ରତ୍ୟେକ ଘରେ ୭ ଦିନ ପୂର୍ବରୁ ମାଣ୍ଡିଆ ଧାନ ଭଳି ଅନେକ ଶସ୍ୟକୁ ବତୁରାଇ ହାଣ୍ଡିଆ ଲଜା ପ୍ରସ୍ତୁତରେ କରିଥାନ୍ତି ା ପରିବାରର ସମସ୍ତେ ନୂଆବସ୍ତ୍ର ପିନ୍ଧବା ସହ ନିଶାନିମୁଣ୍ଡାରେ ପାରମ୍ପରିକ ବାଦ୍ୟଯନ୍ତ୍ର ତାଳେ ତାଳେ ନାଚଗୀତରେ ମସ୍‌ଗୁଲ ହୋଇଉଠନ୍ତି ା ପରେ ଘରେ ଅଳସୀ ପିଠା ବନାଯାଇଥାଏ। ପ୍ରତି ଘରକୁ ଶୁଖୁଆ ଅଣାଯାଇଥାଏ ା ପରବ ଶେଷ ଦିନ ଗ୍ରାମରେ ଥିବା ନିଶାଣିମୁଣ୍ଡା ନିକଟରେ ସମସ୍ତ ଘରରୁ ଅଳସୀ ପିଠା, ଶୁଖୁଆ ହାଣ୍ଡିଆ, ଲା ଆଣି ଗୋଟିଏ ଜାଗାରେ ଏକତ୍ର କରିଥାନ୍ତି। ଜାନି ବେଜୁଣିମାନେ ଗ୍ରାମରେ ନିଶାଣିମୁଣ୍ଡାରେ ଏହାକୁ ପୂଜାର୍ଚ୍ଚନା କରନ୍ତି ା ପରେ ସେଠାରେ ଥିବା ଶୁଖୁଆକୁ ରୋଷେଇ କରିବା ପାଇଁ ନିଆଯାଇଥାଏ ା ଶୁଖୁଆ ରୋଷେଇ ପରେ ଗ୍ରାମର ସମସ୍ତ ଲୋକେ ଏକାଠି ହୋଇ ହାଣ୍ଡିଆ ଲଜା ସହ ଶୁଖୁଆକୁ ଖାଇଥାନ୍ତି ା ଏହାଦ୍ୱାରା ଗ୍ରାମବାସୀଙ୍କ ଭିତରେ ଭାଇଚାରା ସମ୍ପର୍କ ପ୍ରତିଷ୍ଠା ହୋଇଥାଏ। ଲୋପ ପାଇଯାଉଥିବା ସଂସ୍କୃତିକୁ ପୁନଃଜୀବିତ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚୁରନି ମାରିଭଟା ଗ୍ରାମର ଗୁରୁନାଥ ଝୋଡିଆ କହିଛନ୍ତି ା

Share