Categories: ଖେଳ

ଭାଇରସକୁ ନ ଡରି ଟ୍ରେନିଂ କରୁଛନ୍ତି ରୁଟ୍‌

ଲଣ୍ଡନ,୨୫।୩(ଏଏଫ୍‌ପି)- ମାରାତ୍ମକ କରୋନା ଭାଇରସ ବିଶ୍ୱରେ ଏଯାବତ ୧୭ ହଜାର ଜୀବନ ନେଇସାରିଲାଣି। ଏହାସତ୍ତ୍ୱେ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଏବେ ମଧ୍ୟ ବ୍ୟକ୍ତିଗତ ଟ୍ରେନିଂ ପ୍ରୋଗ୍ରାମ ଜାରି ରଖିଛନ୍ତି। କ୍ରିକେଟ କେବେ ପୁଣି ଖେଳାଯିବ ଜଣା ନ ଥିବାବେଳେ ପଡ଼ିଆକୁ ପୁଣି ଥରେ ଫେରିବା ପାଇଁ ସେ ନିଜକୁ ଫିଟ୍‌ ରଖୁଛନ୍ତି। ଗତ ସପ୍ତାହରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ୨୦୨୦ ସିଜନ ଆରମ୍ଭ କରିବାରେ ୭ ସପ୍ତାହ ବିଳମ୍ବ ହେବ ବୋଲି ଘୋଷଣା କରିଥିଲା। ଏପ୍ରିଲ ୧୨ ତାରିଖଠାରୁ ଆରମ୍ଭ ହେବାକୁ ଥିବା ୪ ଦିନିଆ ପ୍ରଥମଶ୍ରେଣୀ କ୍ରିକେଟ କାଉଣ୍ଟି ଚାମ୍ପିୟନଶିପ୍‌ର ନୂଆ ସିଜନକୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ମଧ୍ୟ ଇଂଲଣ୍ଡ ଆୟୋଜନ କରିବ ନାହିଁ। ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜୁନ ୪ ତାରିଖରୁ ଆରମ୍ଭ ହେବାର ଥିଲା। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ କେବେ ଆରମ୍ଭ ହେବ, ସେ ନେଇ ଅନିଶ୍ଚିତତା ଦେଖାଦେଇଥିବା ଇସିବି ପକ୍ଷରୁ କୁହାଯାଇଥିଲା। କିନ୍ତୁ ଇଂଲଣ୍ଡର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ପ୍ରତ୍ୟେକ ପୁରୁଷ ଓ ମହିଳା ଖେଳାଳିଙ୍କୁ ବୋର୍ଡ ପକ୍ଷରୁ ବ୍ୟକ୍ତିଗତ ଟ୍ରେନିଂ ପ୍ରୋଗ୍ରାମ ଦିଆଯାଇଛି। ଇଂଲଣ୍ଡର ଟେଷ୍ଟ ଅଧିନାୟକ ରୁଟ କହିଛନ୍ତି, ଶ୍ରୀଲଙ୍କାରୁ ଫେରିବା ପରେ ନିଜକୁ ଆଗାମୀ ସିଜନ ଲାଗି ଫିଟ୍‌ ରଖିବା ଜରୁରୀ। ଆମେ ପୁଣି ଥରେ କ୍ରିକେଟ ଖେଳିଲା ବେଳକୁ ମୁଁ ସମ୍ପୂର୍ଣ୍ଣ ଫିଟ୍‌ ଥିବି। ମୁଁ ସର୍ବଦା ଆକ୍ଟିଭ ରୁହେ। ଟ୍ରେନିଂ ପ୍ରୋଗ୍ରାମ ଦ୍ୱାରା ମୋର ଉନ୍ନତି ହେବ। ଇଂଲଣ୍ଡ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ କୋଚ୍‌ ରବ ଆମୁନ କହିଛନ୍ତି, ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳିଙ୍କୁ ହୋମ ଟ୍ରେନିଂ ପ୍ୟାକେଜ ଯୋଗାଇ ଦିଆଯାଇଛି। ଏଥିରେ ଦଉଡି, ରେଜିଷ୍ଟାନ୍ସ ବ୍ୟାଣ୍ଡ୍ସ, ମେଡିସିନ ବଲ ଓ କିଟଲ ବଲ ରହିଛି।