ଭାଉଜଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଦିଅର ଗିରଫ

ପାଟଣା,୧୮।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ଭାଉଜଙ୍କ ତଣ୍ଟି କାଟି ଜଣେ ଯୁବକ ହତ୍ୟା ଉଦ୍ୟମ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ା ସାମାନ୍ୟ ମଦ ପାଇଁ କଳିର ପରିଣତି କେତେ କରୁଣ ହୋଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ା
ମିଳିଥିବା ସୂଚନା ଅନୁଯାୟୀ, ପାଟଣା ଥାନା ଅନ୍ତର୍ଗତ ଗାଲଫୁଲା ଗ୍ରାମର କୃଷ୍ଣ ନାଏକଙ୍କ ପରିବାର ସହ ତାଙ୍କ ସମ୍ପର୍କୀୟ ଭାଉଜ ରତ୍ନମଣୀଙ୍କ ପରିବାର ମଧ୍ୟରେ ସୁସମ୍ପର୍କ ଥିଲା। ଶନିବାର ରାତିରେ ଉଭୟ ପରିବାରର ୨ ପିଲା ଏକାଠି ମଦ ପିଇଥିଲେ। ଏହା ପରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ା ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ କୃଷ୍ଣ ଏକ ଧାରୁଆ ବ୍ଲେଡରେ ରତ୍ନମଣୀଙ୍କ ତଣ୍ଟିକୁ କାଟି ପକାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପାଟଣା ଥାନାରେ ଏକ ମାମଲା (ନଂ.୧୭୯/୧୯) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସନ୍ଧ୍ୟା ରାଣୀ ଜେନା କହିଛନ୍ତି ା

Share