ଭାଗବତଙ୍କ ରାଷ୍ଟ୍ରବାଦ କଥାକୁ ନିରଞ୍ଜନଙ୍କ କଟାକ୍ଷ : ଭାଜପା କହିଲା ଯେମିତି ଚଷମା ପିନ୍ଧିଛନ୍ତି ସେମିତି ଦେଖାଯାଉଛି

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଆର୍‌ଏସ୍‌ଏସ୍‌ର ଅଖିଳ ଭାରତ କାର୍ଯ୍ୟକାରୀ ମଣ୍ଡଳ ବୈଠକ ପ୍ରଥମ ଥର ଲାଗି ଓଡିଶାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଯୋଗଦେବା ଲାଗି ଆର୍‌ଏସ୍‌ଏସ୍‌ ସର ସଂଘ ଚାଳକ ମୋହନ ରାଓ ଭାଗବତ ଓଡିଶା ଗସ୍ତରେ ଆସିଛନ୍ତି। ଶନିବାର ଆର୍‌ଏସ୍‌ଏସ୍‌ ପକ୍ଷରୁ ରାଜଧାନୀ ସ୍ଥିତ ବିଶିଷ୍ଟ ନାଗରିକ ସମ୍ମିଳନୀରେ ଯୋଗଦେଇ ଭାଗବତ ରାଷ୍ଟ୍ରବାଦ କଥା କହିଥିଲେ। ତାଙ୍କର ଏହି କଥାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଏହାର ପାଲଟା ଜବାବ୍‌ ରଖିଛି ଭାଜପା।
ନିରଞ୍ଜନ କହିଛନ୍ତି, ଆର୍‌ଏସ୍‌ଏସ୍‌ର କଥା ଓ କାମ ଭିତରେ ଅନେକ ଫରକ ରହିଛି। ରାଷ୍ଟ୍ରବାଦ କଥା କେବଳ ଷ୍ଟେଜ ମ୍ୟାନେଜମେଣ୍ଟ। ନିଜର ଆଧିପତ୍ୟ ବିସ୍ତାର ଲାଗି ଆର୍‌ଏସ୍‌ଏସ୍‌ ସାଧାରଣ ଲୋକଙ୍କ ଦୁର୍ବଳତାର ଫାଇଦା ଉଠାଇବା ପାଇଁ ସଂଘ ପରିବାର ଚାହୁଁଛି। ଏହାର ରାଜନୈତିକ ଫାଇଦା ଭାଜପାକୁ ଯାଉଛି ବୋଲି ନିରଞ୍ଜନ କହିଛନ୍ତି। ଅପରପକ୍ଷରେ ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ନିରଞ୍ଜନ ବାବୁ ଯେଉଁ ଷ୍ଟେଜ ମ୍ୟାନେଜମେଣ୍ଟ କଥା କହୁଛନ୍ତି ଏହା ଦୁର୍ଭାଗ୍ୟଜନକ। ସିଏ ଯେଉଁ ଚଷମା ପିନ୍ଧିଛନ୍ତି ତାଙ୍କୁ ସେହିଭଳି ଦେଖାଯାଉଛି। ଆର୍‌ଏସ୍‌ଏସ୍‌ ବିଚାରକୁ ବୁଝିବା ପାଇଁ ଗବେଷଣା କରିବାକୁ ପଡିବ। ଗୋଡକୁ ହାତମାରି ଯଦି ଶାଳଗଛ କହିବେ ତେବେ ଆମର କିଛି କହିବାର ନାହିଁ ବୋଲି ସମୀର କହିଛନ୍ତି।

Share