Categories: ଖେଳ

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ଭାଗବତ ସପ୍ତାହ ପାରାୟଣ, ହରିହାଟର ଆୟୋଜନ କରାଯାଇଛି। ଏହା ଗତ ୧୧ରୁ ଆରମ୍ଭ ହୋଇ ଆସନ୍ତା ୨୧ ତାରିଖରେ ସମ୍ପୂର୍ଣ୍ଣ ହେବ। ଏହା ଆଜକୁ ୨୪ବର୍ଷ ଧରି ପାଳିତ ହୋଇ ଆସୁଥିବାବେଳେ ଗ୍ରାମର କଳ୍ପତରୁ ସେବା ସଂଘ ପକ୍ଷରୁ ଆୟୋଜନ କରାଯାଇଥାଏ। ଏହି ଭାଗବତ ସପ୍ତାହ ପାଳନ ଅବସରରେ ଦୈନନ୍ଦିନ ଭାଗବତ ଗୀତା ଗାନ ମଧ୍ୟରେ ଦଶମ ସ୍କନ୍ଦରେ ଋକ୍ମିଣୀ ବିବାହ କଥାବସ୍ତୁକୁ ନେଇ କୁନିକୁନି ଶିଶୁ କଳାକାରଙ୍କୁ ନେଇ ଖୋଲାମଞ୍ଚରେ ଏକ ନୃତ୍ୟନାଟିକା ମଞ୍ଚସ୍ଥ କରାଯାଇଥିଲା । ଏଥିରେ ବର ବେଶରେ ଶଙ୍କର ନାଏକ ଓ କନ୍ୟା ବେଶରେ ଭାନୁମତି ନାଏକ ସୁସଜ୍ଜିତ ହୋଇ ଅଭିନୟ କରିଥିଲେ। ଉଭୟ ବର ଓ କନ୍ୟାଙ୍କ ପିତାମାତା ଭାବେ ଯୋଗେନ୍ଦ୍ର ସା, କୁମୁଦିନୀ ସା ଓ ପ୍ରହଲ୍ଲାଦ ଗଞ୍ଜୁ, ପୁଷ୍ପଲତା ଗଞ୍ଜୁ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଅନ୍ୟାନ୍ୟ ଶିଶୁ କଳାକାର କୃଷ୍ଣ, ବଳରାମ, ଶିବ, ପାର୍ବତୀ, ହନୁମାନ, ନନ୍ଦି, ଭୃଙ୍ଗି ବେଶରେ ଅଙ୍କିତ, ରାଜୀବ, ପ୍ରତିଣ, ଗୋପବନ୍ଧୁ, କୁନାଲ, ଝସକେତନ, ପ୍ରକାଶ, ବଣ୍ଟି, ନୂତନ, ଭରତ ପ୍ରମୁଖ ଅଭିନୟ କରିଥିଲେ। ଏହି କୁନିକୁନି ଶିଶୁଙ୍କର ନୃତ୍ୟାଭିନୟରେ ସମଗ୍ର ଗ୍ରାମରେ ଏକ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇପଡିଥିଲା। ଲୋକେ ଭାବବିହ୍ବଳ ହୋଇ ଏହାକୁ ଉପଭୋଗ କରିଥିଲେ ।

Share