ଭାଗୀଦାରିରେ ଲୋକଙ୍କୁ ମିଳି ପାରିବ ନ୍ୟାୟୋଚିତ ସେବା

ଜଳେଶ୍ୱର,୧୨।୧୧(ଡି.ଏନ.ଏ.)-ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଭାଗୀଦାରିରେ ସମସ୍ତ ଉନ୍ନୟନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ସୋମବାର ବାଲେଶ୍ୱର ଜିଲା ଜଳେଶ୍ୱର ପଞ୍ଚାୟତ ସମିତିର ଅଷ୍ଟମ ଅଧିବେଶନରେ ଯୋଗ ଦେଇ ସରକାରଙ୍କ କଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଏହି ଅଧିବେଶନରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ରାଣୀ ଦଳେଇ ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପ୍ରଥମଥର ପାଇଁ ଏହି ସମିତି ବୈଠକରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଆହୁରି କହିଥିଲେ, ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରାଗଲେ ଲୋକଙ୍କୁ ନ୍ୟାୟୋଚିତ ସେବା ମଳିପାରିବ। ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ବୈଠକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏସବୁ ସଫଳ ରୂପାୟନ ଲାଗି ବିଭାଗୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ଘଟୁଥିବାରୁ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବୈଠକ ପକ୍ଷରୁ ବିଭାଗୀୟ ଏସ୍‌ଡିଓଙ୍କୁ କୁହାଯାଇଥିଲା। ସେହିପରି ବିଭିନ୍ନ ଜାଗାରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ କେତେକ ଲୋକଙ୍କ ଘରକୁ ସଂଯୋଗ ଦିଆ ନ ଯାଇ ବିଦ୍ୟୁତ୍‌ ବିଲ୍‌ ପଠାଯିବା ନେଇ ଉପସ୍ଥିତ ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ସବୁଠାରୁ ଅଧିକ ଅବହେଳା ପରିଲକ୍ଷିତ ହେଉଛି ବୋଲି ବୈଠକରେ ଅଭିଯୋଗ ହୋଇଥିଲା। ‘ବୁଲ୍‌ବୁଲ୍‌’ ବାତ୍ୟାରେ ବ୍ଲକରେ ବିଭିନ୍ନ ଚାଷର କ୍ଷୟକ୍ଷତି ଆକଳନ କରି ୨ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ତାଗିଦ୍‌ କରାଯାଇଥିଲା। ଅନ୍ୟପକ୍ଷେ ଭାଙ୍ଗି ଯାଇଥିବା ଘର ସମ୍ପର୍କରେ ତଦନ୍ତ କରି ତୁରନ୍ତ ବିପନ୍ନଙ୍କୁ ପଲିଥିନ୍‌ ଯୋଗାଇ ଦେବାକୁ ତହସିଲଦାରଙ୍କୁ କୁହାଯାଇଥିଲା। ଅଧିବେଶନରେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଡିଓ ନିତ୍ୟାନନ୍ଦ ସାହୁ, ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା, ସହକାରୀ ଇଞ୍ଜିନିୟର ମନୋଜ କୁମାର ମୁଣ୍ଡ ଓ ଏମ୍‌ପି ପ୍ରତିନିଧି ଉମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Share