ଭାଙ୍ଗିଦେଇ ଭୁଲିଗଲା ବିଏମ୍‌ସି

ବ୍ରହ୍ମପୁର ଅଫିସ୍‌,୨୫ା୧୦- ବ୍ରହ୍ମପୁର ମହାନଗର ନିଗମର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସହରବାସୀ କେମିତି ହନ୍ତସନ୍ତ ହେଉଛନ୍ତି, ତାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଜଗବନ୍ଧୁ ସାହିରେ ରାସ୍ତା କଡ଼ରୁ ଜବରଦଖଲ ହଟିଲା। ହେଲେ ଆବର୍ଜନା ସଫା କରାଗଲା ନାହିଁ। ଦୁଇ ଦିନ ହେଲା ଲଗାତର ବର୍ଷା ପରେ ଏବେ ସାହିରେ ସ୍ଥିତି ସଙ୍ଗିନ୍‌। ନା ଘରେ ରହିହେଉଛି, ନା ପଦାକୁ ବାହାରି ହେଉଛି। ଲୋକମାନେ ଖାଇବାକୁ ପାଉନାହାନ୍ତି। ପିଇବାକୁ ପାଣି ନାହିଁ। ଏହାକୁ ନେଇ ସାହିରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଘଟଣା ହେଲା, ଗତ ଶନିବାର ହରିଡ଼ାଖଣ୍ଡି ଛକରୁ ପୁରୁଣା ବ୍ରହ୍ମପୁର ଦେଇ ଆମ୍ବ ମାର୍କେଟ୍‌ ପର୍ଯ୍ୟନ୍ତ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ରାସ୍ତାରେ ଥିବା ଜଗବନ୍ଧୁ ସାହିର ମଧ୍ୟ ଉଭୟ କଡ଼ରୁ ଉଚ୍ଛେଦ ହୋଇଥିଲା। ଅନେକ ଲୋକଙ୍କ ଘର ଅଧା ଭାଙ୍ଗି ଦିଆଯାଇଥିଲା। ବିଏମ୍‌ସି ପକ୍ଷରୁ ବୁଲ୍‌ଡୋଜର୍‌ରେ ବାସଗୃହ ଭାଙ୍ଗ ଦିଆଯାଇଥିଲା। ଜବରଦଖଲ ଉଚ୍ଛେଦ ପରେ ଆବର୍ଜନା ସଫା କରିବା କଥା। ହେଲେ ଏଯାଏ ବିଏମ୍‌ସି ପକ୍ଷରୁ ଆବର୍ଜନା ସଫା କରାଯାଇନାହିଁ। ରାସ୍ତାରେ ପଥର, ଇଟା, ବଡ଼ ବଡ଼ କଂକ୍ରିଟ୍‌ ପଡ଼ିଛି। ଭଙ୍ଗା ଗଛ ଡାଳ ରାସ୍ତା ଉପରେ ପଡ଼ି ରହିଛି।
ଡ୍ରେନ୍‌ଗୁଡ଼ିକ ମଧ୍ୟ ଭଙ୍ଗାଯାଇଛି। ପାଣି ନିଷ୍କାସନ ହୋଇପାରୁନି। ବୁଧବାର ଏବଂ ଗୁରୁବାର ଲଗାଣ ବର୍ଷା ଯୋଗୁ ପରିସ୍ଥିତି ସଙ୍ଗିନ୍‌ ହୋଇଛି।
ବର୍ଷା ଜଳ ନିଷ୍କାସନ ହୋଇପାରୁନି।
ଫଳରେ ବର୍ଷା ଜଳ ଲୋକଙ୍କ ଘରେ ପଶିଯାଇଛି। ସାହିରେ ଥିବା ଷ୍ଟାଣ୍ଡପୋଷ୍ଟଗୁଡ଼ିକରେ ପାଣି ଆସୁଛି।
ହେଲେ ସେଠାରେ ମଧ୍ୟ ବର୍ଷା ଏବଂ ଆବର୍ଜନା ଜଳ ଭର୍ତ୍ତି ହୋଇଯାଇଛି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ସାହିବାସୀଙ୍କ ତରଫରୁ ଅବଗତ କରାଯାଇଥିଲା। ହେଲେ କେବଳ ଟ୍ରାକ୍ଟର ଏବଂ ଜେସିବି ମଶିନ୍‌ ସାହିକୁ ପଠାଇଦେଇ ବିଏମ୍‌ସି ଅଧିକାରୀମାନେ ଚୁପ୍‌ ବସିଛନ୍ତି। ଏପେଟ ନ ଖାଇ, ନ ପିଇ ଲୋକମାନେ ହନ୍ତସନ୍ତ ହୋଇପଡ଼ିଲେଣି।
ଗୁରୁବାର ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଅଞ୍ଚଳବାସୀ ରାସ୍ତା ଅବରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଖବର ପାଇ ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ଏବଂ ଟାଉନ୍‌ ଥାନା ଆଇଆଇସି ସୁରେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଞ୍ଚଳ ବୁଲି ଦେଖି ଲୋକଙ୍କ ସହ ଆଲୋଚନା କରିଥିଲେ। ଜେସିବି ଲଗାଇ ଆବର୍ଜନା ସଫା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତଥାପି ବିଏମ୍‌ସିର ଏଭଳି ଦାୟିତ୍ୱହୀନତାକୁ ସେମାନେ ତୀବ୍ର ସମାଲୋଚନା କରିଛନ୍ତି।

Share