Categories: ଖେଳ

ଭାଙ୍ଗିଦେଲେ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତି

ମାଲ୍‌ମୋ(ସ୍ବିଡେନ୍‌), ୬।୧(ଏପି)- ସ୍ବିଡେନ୍‌ ପାଇଁ ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଗୋଲ କରିଥିବା ଜଲାଟନ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ୫୦୦ କେଜି ଓଜନବିଶିଷ୍ଟ ବ୍ରୋଞ୍ଜ୍‌ରେ ନିର୍ମିତ ମୂର୍ତ୍ତି ମାଲମୋ ଫୁଟବଲ ଷ୍ଟାଡିୟମ ବାହାରେ ଅବସ୍ଥିତ ଥିଲା। ମୂର୍ତ୍ତିର ନିମ୍ନଭାଗରୁ କାଟି ଅଲଗା କରିଦିଆଯାଇଛି। ସ୍ବିଡେନ ଫୁଟବଲ ଦଳର ଟି ଶାର୍ଟ ଦ୍ୱାରା ଷ୍ଟାଚ୍ୟୁର ମୁହଁକୁ ଘୋଡ଼ାଇ ଦିଆଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ। ଏହାକୁ ମିଶାଇ ମୂର୍ତ୍ତି ଉପରେ ଏହା ୪ର୍ଥ ଆକ୍ରମଣ। ନିକଟରେ ଇଟାଲି କ୍ଲବ ଏସି ମିଲନ ଦଳରେ ଯୋଗଦେଇଥିବା ଇବ୍ରାହିମୋଭିଚ୍‌ ଗତ ନଭେମ୍ବରରେ ହାମର୍ବି ଦଳର ଅଂଶୀଦାର ହୋଇଥିଲେ। ଏହି ଘୋଷଣା ହେବାର କିଛି ଘଣ୍ଟା ପରେ ମାଲମୋ କ୍ଲବର ପ୍ରଶଂସକମାନେ ତାଙ୍କ ମୂର୍ତ୍ତି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଗତମାସରେ ମୂର୍ତ୍ତିର ନାକ କଟାଯାଇଥିଲା। କାରଣ ଇବ୍ରାହିମୋଭିଚ୍‌ ପ୍ରଥମେ ମାଲମୋ ପାଇଁ ଖେଳି ପରିଚୟ ସୃଷ୍ଟି କରିଥିଲେ। ଆଉ ମାଲ୍‌ମୋ ଦଳର ଚିରପ୍ରତିଦ୍ୱନ୍ଦ୍ୱୀ କ୍ଲବ ହେଉଛି ହାମର୍ବି। ମାଲମୋ କ୍ଲବର ପ୍ରଶଂସକଙ୍କ ଦୁଃଖ ବୁଝିପାରୁଛି। କିନ୍ତୁ ସେମାନେ ସବୁ ସୀମା ଟପି ଯାଇଛନ୍ତି ବୋଲି ସ୍ବିଡେନ ଏଫ୍‌ଏ ସାଧାରଣ ସମ୍ପାଦକ ହକାନ ଷ୍ଟ୍ରାଣ୍ଡ କହିଛନ୍ତି।

Share