Categories: ଜାତୀୟ

ଭାଙ୍ଗିବ ଭାଜପା-ଶିବସେନା ମେଣ୍ଟ! ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେବେ ଶିବସେନା ନେତା

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ରାଜନୀତି ବେଳକୁ ବେଳ ସରଗରମ ହେବାରେ ଲାଗିଛି। ଭାଜପା ସରକାର ଗଠନ କରିବାକୁ ମନା କରିଦେବା ପରେ ଏବେ କିଏ ଗଢିବ ସରକାର ତାକୁ ନେଇ ଚାଲିଛି ମାନସ ମନ୍ଥନ। ଭାଜପା-ଶିବସେନା ମଧ୍ୟରେ କଥା ଛିଡି ନ ପାରିବାରୁ ଶେଷରେ ଭାଜପା ସରକାର ଗଠନ କରିବାକୁ ମନା କରି ଦେଇଥିଲା। ଏବେ ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଟୁଇଟ୍‌ କରି ସାଓ୍ବନ୍ତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ଫର୍ମୁଲା ତିଆରି ହୋଇଥିଲା। ହେଲେ ଏବେ ଭାଜପା ଏହାକୁ ମାନୁନାହିଁ। ଭାଜପା ମିଛ କହି ମହାରାଷ୍ଟ୍ରରେ କିଛି ପ୍ରଗତି କରିଛି। ହେଲେ ଶିବସେନା ସବୁବେଳେ ସତ କହେ। ତେଣୁ ଏତେ ମିଛ ଭିତରେ ମୁଁ ରହିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି। ଏହାକୁ ନେଇ ସେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିବେ ବୋଲି କହିଛନ୍ତି।

Share