ଭାଙ୍ଗିଲା ୫୨୫ ବର୍ଷର ପରମ୍ପରା: ବନ୍ଦ ହେଲା ପଶୁ, ପକ୍ଷୀ ବଳି

ଅଗରତାଲା: ଦୀର୍ଘ ୫୨୫ ବର୍ଷ ପରେ ବଦଳିଲା କୁପ୍ରଥା। ଶାରଦୀୟ ଦୁର୍ଗାପୂଜା ଅବସରରେ ତ୍ରିପୁରାସ୍ଥିତ ଲୋକପ୍ରିୟ ଦୁର୍ଗାବାଡ଼ି ମନ୍ଦିରରେ ଆଉ ବଳି ପଡ଼ିବେନି ନିରୀହ ପଶୁ, ପକ୍ଷୀ। ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶହ ଶହ ବର୍ଷରୁ ପ୍ରଚଳିତ ବଳି ପ୍ରଥା ଉପରେ ଏଠାରେ ରୋକ୍‌ ଲାଗିଛି। ସୂଚନା ଯେ, ଦୀର୍ଘ ୭୦ ବର୍ଷ ହେଲା ଦୁର୍ଗାବାଡ଼ି ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ପାଳନ ନିମନ୍ତେ ତ୍ରିପୁରା ସରକାର ସମସ୍ତ ଖର୍ଚ୍ଚ ବହନ କରିଆସୁଛନ୍ତି।
ଏ ନେଇ ମନ୍ଦିରର ମୁଖ୍ୟ ପୂଜକ ଦୁଲାଲ୍‌ ଭଟ୍ଟାଚାର୍ଜି କହିଛନ୍ତି, ଆମେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛୁ। ପ୍ରଥମଥର ପାଇଁ ଏଠାରେ ପାଞ୍ଚଦିନିଆ ଦୁର୍ଗାପୂଜା ପାଳନ ଅବସରରେ ଦୀର୍ଘ ୫୨୫ ବର୍ଷର ବଳି ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ତେବେ ଗତବର୍ଷ ଏକ ମଇଁଷି ସମେତ ଅନେକ ଛେଳି ଓ ପାରାଙ୍କୁ ଏଠାରେ ପଞ୍ଚଦିବସୀୟ ଦୁର୍ଗାପୂଜା ଅବସରରେ ବଳି ଦିଆଯାଇଥିଲା। ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ ଏବଂ ଅରିନ୍ଦମ ଲୋଧଙ୍କୁ ନେଇ ଗଠିତ ତ୍ରିପୁରା ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ସେପ୍ଟେମ୍ବର ୨୭ରେ ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି। କୌଣସି ବ୍ୟକ୍ତି କିମ୍ବା ସରକାର ରାଜ୍ୟର କୌଣସି ମନ୍ଦିରରେ ପଶୁ, ପକ୍ଷୀ ବଳି ଦେଇ ପାରିବେନାହିଁ ବୋଲି ହାଇକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Share