ଭାଜପାରେ ରାଜ୍ୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ସଭାପତି ପଦ ପାଇଁ ଦିଲ୍ଲୀ ଦୌଡୁଛନ୍ତି ନେତା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାଜପାର ରାଜ୍ୟ ସଭାପତି ଚୟନ ଚଳିତ ମାସ ଶେଷସୁଦ୍ଧା ଶେଷ ହେବ। ଏଥିପାଇଁ ଦଳର ସାଙ୍ଗଠନିକ ନିର୍ବାଚନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଦଳ ପକ୍ଷରୁ ୩୬ଟି ସାଙ୍ଗଠନିକ ଜିଲା ମଧ୍ୟରୁ ୩୪ଟି ପାଇଁ ନୂଆ ସଭାପତି ଚୟନ ଶେଷ ହୋଇଛି। କେବଳ କଳାହାଣ୍ଡି ଏବଂ ଭୁବନେଶ୍ୱର ଜିଲା ସଭାପତି ଚୟନ ହୋଇନାହିଁ, ଯାହାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ରବିବାର ଦଳ ପକ୍ଷରୁ ରାଜ୍ୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ପ୍ରତ୍ୟେକ ସ୍ଥାନରେ ଜଣେ ଲେଖା ମହିଳା ରହିବାର ସମ୍ବିଧାନ ରହିଛି। ସେହି ଅନୁସାରେ ଦଳୀୟ ନେତାଙ୍କ କହିବାନୁଯାୟୀ ମୋଟ ୧୮୬ଜଣ ରାଜ୍ୟ ପରିଷଦର ସଦସ୍ୟ ରହିବେ। ରବିବାର ସୁଦ୍ଧା ୨୨ଟି ଜିଲା ପାଇଁ ପ୍ରକ୍ରିୟା ସରିଛି। ଆସନ୍ତା ୨୬ସୁଦ୍ଧା ସମସ୍ତ ରାଜ୍ୟ ପରିଷଦ ସଦସ୍ୟଙ୍କ ତାଲିକା ବାହାରିଯିବ। ଶେଷରେ ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ସରିବ। ରାଜ୍ୟ ସଭାପତି ନିର୍ବାଚନରେ ସମସ୍ତ ଜିଲା ସଭାପତି ଏବଂ ରାଜ୍ୟ ପରିଷଦ ସଦସ୍ୟ ଭୋଟଦେବେ। ଦଳର ଏହି ପ୍ରକ୍ରିୟା ଚାଲିଥିବା ବେଳେ ରାଜ୍ୟ ସଭାପତି ଆଶାୟୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଦଳର ସଭାପତିଙ୍କ ଅଙ୍କ କଷିବା ପାଇଁ ଦୁଇଟି ଗୋଷ୍ଠୀ ମଧ୍ୟରେ ଏକ ରକମର ପ୍ରତିଯୋଗିତା ଆରମ୍ଭ ହୋଇଛି। ତେବେ ଚର୍ଚ୍ଚାରେ ରହିଥିବା ନେତାମାନେ ମଧ୍ୟ ନିଜ ତରଫରୁ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନୂଆ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉ ନ ଥିଲେ ମଧ୍ୟ ଦଳର ପ୍ରମୁଖ କେତେଜଣ ନେତା କୁଆଡେ ଦିଲ୍ଲୀରେ ଡେରା ପକାଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଅନ୍ୟପକ୍ଷରେ ଡିସେମ୍ବର ସୁଦ୍ଧା ଦଳର ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ନୂଆ ସଭାପତି ଚୟନ ହୋଇଯିବ ବୋଲି କୁହାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ସାମାନ୍ୟ ବିଳମ୍ବ ହେବ ବୋଲି ମଧ୍ୟ ଶୁଣିବାକୁ ମିଳିଛି।

Share