ଭାଜପାର ବିଜୟ ସଂକଳ୍ପ ସମାବେଶ: କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

କଟକ ସଦର, ୨୦।୪ (ଡି.ଏନ୍‌.ଏ.): କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ରାଜ୍ୟ ସରକାର ଓଡ଼ିଶାର ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଅପାରଗ ରାଜ୍ୟ ସରକାରକୁ ହଟାଇ ଭାଜପାକୁ କ୍ଷମତାସୀନ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। କଟକ ସଦର ନିର୍ବାଚନ ମଣ୍ଡଳୀ ଅଧୀନ କିଶୋର ନଗରଠାରେ ଶୁକ୍ରବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ରାଜନାଥ ଯୋଗଦେଇ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ କହିଥିଲେ। ୨୦୧୪ ସୁଦ୍ଧା ୧୦ଟି ବିତ୍ତଶାଳୀ ଦେଶ ମଧ୍ୟରେ ଭାରତ ନବମ ସ୍ଥାନରେ ରହିଥିବାବେଳେ ୨୦୧୯ରେ ଏହା ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି କଂଗ୍ରେସ ସରକାର ଅମଳରେ ୧୨ କୋଟି ପରିବାରକୁ ଗ୍ୟାସ୍‌ ସଂଯୋଗ ମିଳିଥିବାବେଳେ ମୋଦି ସରକାର ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗତ ସାଢେ ୪ ବର୍ଷ ମଧ୍ୟରେ ୧୩ କୋଟି ପରିବାରକୁ ନୂଆ ଗ୍ୟାସ୍‌ ସଂଯୋଗ ଦେଇଥିବା ନେଇ ରାଜନାଥ କହିଥିଲେ। ତେଶୁ କେନ୍ଦ୍ର ଓ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାରକୁ କ୍ଷମତାସୀନ କରିବା ପାଇଁ ରାଜନାଥ କହିଥିଲେ। ଏଥିସହ ଦଳୀୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଜିତାଇବା ପାଇଁ ସେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି ସମାବେଶରେ ଦଳର କଟକ ଲୋକ ସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, କଟକ ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକଙ୍କ ସମେତ ହୃଷୀକେଶ ଜେନା, ବିନୋଦ ଦାଶ, ସାଧୁ ଜେନା, ବ୍ଲକ ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରା, ପ୍ରତିଭା ଶତପଥୀ ଓ କ୍ଷୀରୋଦ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ। ଭାଜପା ରାଜ୍ୟ ସମ୍ପାଦକ ସତ୍ୟ ଜେନା ଧନ୍ୟବାଦ ଦେଇଥିଲେ।