ମୁମ୍ବାଇ,୨।୧୧: ମହାରାଷ୍ଟ୍ରର ରାଜନୀତି ଡ୍ରାମା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶିବସେନା ଏବେ ତା’ର ମୁଖପତ୍ର ‘ସାମନା’ ଜରିଆରେ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛି। ଶିବସେନା କହିଛି ରାଷ୍ଟ୍ରପତି କ’ଣ ଭାଜପାର ପକେଟରେ ରହୁଛନ୍ତି। ଶିବସେନା ଏହା କହିବା ପଛର କାରଣ ହେଉଛି ଶୁକ୍ରବାର ଭାଜପା ନେତା ତଥା ମହାରାଷ୍ଟ୍ର ସରକାରରେ ଅର୍ଥମନ୍ତ୍ରୀ ଥିବା ସୁଧିର ମୁନଗଂଟିଓ୍ବାର କହିଥିଲେ ଯଦି ମହାରାଷ୍ଟ୍ରରେ ନଭେମ୍ବର ୭ ଭିତରେ ସରକାର ଗଠନ ହୋଇ ନ ପାରେ ତେବେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ। ସେ ଆହୁରି ମଧ୍ୟ କହିଥିଲେ ମହାରାଷ୍ଟ୍ରରେ ନୂଆ ସରକାର ଗଠନରେ ବାଧା ସୃଷ୍ଟି କରିଛି ଶିବସେନାର ଅଢେଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ପଦ। ଏସବୁ ପରେ ଶିବସେନା କହିଛି ଏବେ ମହାରାଷ୍ଟ୍ରରେ ରାଜନୀତି ଏକ କୌତୁକିଆ ‘ଶେଭାଯାତ୍ରା’ରେ ପରିଣତ ହେଲାଣି। ହେଲେ ଏଥିପାଇଁ ଦାୟୀ କିଏ ବୋଲି ଶିବସେନା ପ୍ରଶ୍ନ କରିଛି। ଶିବସେନା ଆହୁରି ମଧ୍ୟ କଟାକ୍ଷ କରି କହିଛି କ୍ଷମତାଚ୍ୟୁତ ହେବାକୁ ଯାଉଥିବା ସରକାରଙ୍କ ଲିଭିଯାଇଥିବା ନିଆଁ ବେଳକୁ ବେଳ ମହାରାଷ୍ଟ୍ରରେ ଭିନ୍ନ ସମସ୍ୟା ସୃଷ୍ଟି କରୁଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଏବେ ଭଭୟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କକଷା ଛିଡି ପାରୁ ନାହିଁ। କାରଣ ଶିବସେନା ଅଢେଇ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ହେବାକୁ ଅଡି ବସିଥିବା ବେଳେ ଭାଜପା ଏହାକୁ ଛାଡିବାକୁ ଚାହୁଁନାହିଁ।