ଭାଜପାର ସଭାସ୍ଥଳ ସଫେଇ କଲେ ବିଜେଡି ନେତା

ବାରିପଦା ଅଫିସ,୩୦ା୧- ମୟୂରଭଞ୍ଜ ଜିଲା ବାରିପଦା ସହରର ଐତିହାସିକ ଛଉ ପଡ଼ିଆରେ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ। ରାଜ୍ୟ ତଥା ଜିଲାର ଆଗଧାଡିର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଜିଲାର କୋଣ ଅନୁକୋଣରୁ ଆସିଥିବା କର୍ମୀମାନଙ୍କ ପାଇଁ ଏଠାରେ ଭୋଜନ ବ୍ୟବସ୍ଥା କରାଯାଇଥିଲା। ପଡ଼ିଆ ମଧ୍ୟରେ ରୋଷେଇ କରାଯାଇ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା। ତେବେ ସ୍ବଚ୍ଛ ଭାରତ ନାରା ଦେଉଥିବା ଭାଜପା ପକ୍ଷରୁ ସଭାସ୍ଥଳକୁ ସଫା କରାଯାଇ ନ ଥିଲା। ବାରିପଦା ସହରକୁ ସବୁଜ ସୁନ୍ଦର ଗଠନ କରିବା ନାରା ଦେଇ ସହରରେ ସଫେଇ କାର୍ଯ୍ୟ କରୁଥିବା ବାରିପଦା ପୌର ପରିଷଦର ପୂର୍ବତନ ଉପନଗରପାଳ ତଥା ଜିଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି ବୁଧବାର ସକାଳେ ଏହି ସ୍ଥାନକୁ ସଫା କରିଥିଲେ। ବାରିପଦା ସହରରେ ନିୟମିତ ସଫେଇ କାର୍ଯ୍ୟ କରୁଥିବା ସବୁଜ ସୁନ୍ଦର ବାରିପଦା ଅନୁଷ୍ଠାନର କର୍ମକର୍ତ୍ତା ଏହି ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ କରିବା ପରେ ଭାଜପାକୁ ବହୁ ଲୋକେ ସମାଲୋଚନା କରିଛନ୍ତି। ଏ ନେଇ ଭାଜପା ନେତାମାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ମତାମତ ଦେବାକୁ ମନା କରିଛନ୍ତି। ତେବେ ମୟୂରଭଞ୍ଜ ଜିଲାକୁ ପ୍ରତିଦିନ ବାହାର ଅଞ୍ଚଳର ଲୋକେ ଆସୁଛନ୍ତି। ସେମାନେ ଏହି ସହରରୁ ଫେରିଲା ବେଳେ ଖରାପ ଅନୁଭୂତି ନେଇ ନ ଯାଆନ୍ତୁ ଏବଂ ସହରକୁ ସଫେଇ କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ଯୁବ ବିଜେଡି ସଭାପତି ମହାନ୍ତି ଗଣମାଧ୍ୟମକୁ କହିଛନ୍ତି।