ଜୟପୁର,୧୨।୬: ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଶୁକ୍ରବାର ରାଜ୍ୟସଭା ପ୍ରାର୍ଥୀ ତଥା କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ ବିଧାୟକଙ୍କ ସହ ଏକ ବୈଠକ ଡାକିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦୁଇମାସ ପୂର୍ବରୁ ରାଜ୍ୟସଭା ନିର୍ବାଚନ ହୋଇପାରିଥାନ୍ତା। କିନ୍ତୁ ଘୋଡା ବେପାର କାରବାର ଶେଷ ନ ହେବା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଦେଶରେ ଗଣତନ୍ତ୍ର ହତ୍ୟା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ଅମିତ ଶାହା କରୋନାକୁ ନେଇ ଚିନ୍ତିତ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାଜପାର ଚିନ୍ତାଧାରା ଫାସିଷ୍ଟ। ମୋଦି ଏବଂ ଶାହ ଦେଶକୁ କଂଗ୍ରେସ ମୁକ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ କଂଗ୍ରେସ ଲୋକଙ୍କ ସହ ଅଛି। ମିଳିତ ଭାବେ ଆମେ ଫାସିଷ୍ଟ ଶକ୍ତିଙ୍କୁ ପରାସ୍ତ କରିବୁ ବୋଲି ସେ କହିଛନ୍ତି।