Categories: ଜାତୀୟ

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ…

ଗାଜିଆବାଦ,୨୦ା୪ : ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ ୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଧମକ ଦେଇଛନ୍ତି। ଉତ୍ତରପ୍ରଦେଶର ଗାଜିପୁର ଏମ୍‌ପି ମନୋଜ ଏଥର ଏହି ଲୋକ ସଭା ଆସନରୁ ପୁଣିଥରେ ଭାଜପା ପ୍ରାର୍ଥୀ ହୋଇଛନ୍ତି। ସୈଦପୁର ଅଞ୍ଚଳରେ ‘କିଷାନ ପଞ୍ଚାୟତ ସମ୍ମିଳନୀ’କୁ ଗୁରୁବାର ସମ୍ବୋଧିତ କରି ସେ କହିଛନ୍ତି, ଭାଜପା କର୍ମୀମାନେ ଦୁର୍ନୀତି ଏବଂ ଆପରାଧିକ କାର୍ଯ୍ୟକଳାପ ଜରିଆରେ ଠୁଳ କରାଯାଇଥିବା ଧନ ହଟାଇବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଭାଜପା କର୍ମୀମାନଙ୍କୁ ଯିଏ ଅଙ୍ଗୁଳି ଦେଖାଇବେ ସିଏ ୪ ଘଣ୍ଟା ମଧ୍ୟରେ ସୁରକ୍ଷିତ ନ ଥିବେ। ପୂର୍ବାଞ୍ଚଳର କୌଣସି ଅପରାଧୀ ଗାଜିପୁର ସୀମାକୁ ପ୍ରବେଶ କରିବା ଅବସ୍ଥାରେ ନାହାନ୍ତି। କେହି ଭାଜପା କର୍ମୀଙ୍କ ଉପରେ ନଜର ପକାଇଲେ ତାଙ୍କ ଆଖି ତାଡ଼ି ଦିଆଯିବ। ପ୍ରକାଶ ଯେ, ଏହି ଆସନରେ ମନୋଜଙ୍କ ବିରୋଧରେ ମାଫିଆରୁ ରାଜନେତା ପାଲଟିଥିବା ମୁଖ୍‌ତାର ଅନ୍‌ସାରିଙ୍କ ଭାଇ ଅଫ୍‌ଜଲ ଅନ୍‌ସାରିଙ୍କୁ ବିଏସ୍‌ପି ପ୍ରାର୍ଥୀ କରିଛି।

Share