Advertisement

ଭାଜପା ଛାଡି ବିଜେଡିରେ ଯୋଗଦେଲେ ତଳମଲା ସମିତିସଭ୍ୟା:ଜୁନାଗଡ ବ୍ଲକ ରାଜନିତୀ ସରଗରମ

ଜୁନାଗଡ,୧୧।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ସମିତିସଭ୍ୟା ଗୀତାଞ୍ଜଳୀ ହଂସ ଶନିବାର ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ ସହର କଲମପୁର ଛକସ୍ଥିତ ବିଜେଡି କାର୍ଯ୍ୟାଳୟରେ ସେ ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ତାଙ୍କ ଦଳୀୟ କର୍ମୀମାନେ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସେହିପରି ସମିତିସଭ୍ୟା ହଂସଙ୍କ ନେତୃତ୍ୱରେ ତାଙ୍କ ସ୍ବାମୀ ଦୟା ହଂସଙ୍କ ସମେତ ପଞ୍ଚାୟତର ଅନେକ ମହିଳା, ପୁରୁଷ ମଧ୍ୟ ବିଜେଡିରେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ ଜୁନାଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ଅଜୟ କୁମାର ବେହେରା, ବିଜେଡି ଜୁନାଗଡ ବ୍ଲକ ସଭାପତି ପ୍ରମୋଦ ବେହେରା, ଆଇନଜୀବୀ ବିଶ୍ୱନାଥ କର, ପ୍ରଦ୍ୟୁମ୍ନ ରାଉତ, ଯୁବ ନେତା ଦୁଷ୍ମନ୍ତ ନାଏକ, ବିଶ୍ୱ ରଞ୍ଜନ ନାଏକ, କାମାକ୍ଷ ପ୍ରଧାନୀ, ବେଣୁ ଦୀପ, ଭିଷ୍ମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଗତ ସୋମବାର ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୁନାଗଡ ବ୍ଲକର ୨୦ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେଇଥିଲେ।
ଗତ ୨୦୧୭ରୁ ଏଠାରେ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ରହିଛନ୍ତି। ଜୁନାଗଡ ବ୍ଲକରେ ମୋଟ ୩୪ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ପାଇଁ ୧୮ଟି ସମିତି ସଭ୍ୟାସଭ୍ୟ ଦରକାର। ବର୍ତ୍ତମାନ ଗୋଟେ ପରେ ଗୋଟେ ପ୍ରାୟ ୨୧ଜଣ ସମିତି ସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଥିବାରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ଆସନ ଟଳମଳ ହେଉଛି। କେଉଁ ମୁହୁର୍ତ୍ତରେ ଏଠାରେ ଅନାସ୍ତା ପ୍ରସ୍ତାବ ହେବା ସହ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଜୁନାଗଡ ବ୍ଲକ ରାଜନିତୀ ଏବେ ସରଗରମ ଦେଖାଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share