ଭାଜପା ନେତାଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ବର୍ତ୍ତମାନ ଭୟଙ୍କର ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ଭାଜପା ପକ୍ଷରୁ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେଶନକୁ ଲୋକପ୍ରିୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ବୁଧବାର ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ପଦାଧିକାରୀ ଏବଂ କେନ୍ଦ୍ରୀୟ ନେତାମାନଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ହେବାପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି। ‘ଆରୋଗ୍ୟ ସେତୁ’ ଆପ୍ଲିକେଶନ ମାଧ୍ୟମରେ ସାଧାରଣ ଲୋକମାନେ କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଆଲୋଚନା ପରେ ସୂଚନା ଦେଇ କହିଛନ୍ତି ଯେ, ଅତ୍ୟାଧୁନିକ ବ୍ଲୁ ଟୁଥ୍‌ ପ୍ରଯୁକ୍ତି, ଆଲଗୋରିଦିମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗକରି ବ୍ୟବହାରକାରୀଙ୍କ ସଂସ୍ପର୍ଶରେ ଆସୁଥିବା କରୋନା ସଂକ୍ରମିତଙ୍କ ସମ୍ପର୍କରେ ଜାଣିହେବ। ଲୋକେଶନ ଅନ୍‌ କରି ଆପଣ କେଉଁ ସ୍ଥାନରେ ରହିଛନ୍ତି ଏବଂ ସେହି ସ୍ଥାନ କେତେ ମାତ୍ରାରେ ସୁରକ୍ଷିତ ସେ ବିଷୟରେ ଜାଣିହେବ। କରୋନା ବିପଦରୁ କିପରି ସୁରକ୍ଷିତ ରହିହେବ ସେନେଇ ମଧ୍ୟ ଉକ୍ତ ଆପ୍‌ ପରାମର୍ଶ ଦେବ। କରୋନା ସମ୍ପର୍କରେ ଯଦି କିଛି ସନ୍ଦେହ ରହେ ତେବେ ଏହି ଆପ୍‌ ଜରିଆରେ ଜାଣିହେବ ବୋଲି ସମୀର କହିଛନ୍ତି। ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏହି ଆପ୍‌ ବ୍ୟବହାର କରିବା ସହ ଲୋକମାନଙ୍କୁ ମଧ୍ୟ ଏହାର ବ୍ୟବହାର ପାଇଁ ପ୍ରବର୍ତ୍ତାନ୍ତୁ ବୋଲି ସମୀର କହିଛନ୍ତି।

Share