Categories: ଜାତୀୟ

ଭାଜପା ପାଇଁ ସଙ୍କଟମୋଚନ ହେବ କି ଏନ୍‌ସିପି

ନୂଆଦିଲ୍ଲୀ,୨୮।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣାଓଟରା। ଏହି ସମୟରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଏନ୍‌ସିପି ଭାଜପାର ସଙ୍କଟାମୋଚନ ହୋଇ ଉଭା ହେବ କି? କାରଣ ଏବେ ଶରଦ ପାଓ୍ବାର(ଏନ୍‌ସିପି) ଭାଜପା ଅବା ଶିବସେନା ଯାହାକୁ ସମର୍ଥନ କରିବେ ସେ ସରକାର ଗଠନ କରିପାରନ୍ତି। କିନ୍ତୁ ଏନ୍‌ସିପି ମୁଖ୍ୟ ବିରୋଧି ହୋଇ ରହିବାକୁ ପସନ୍ଦ କରିବ ବୋଲି ପାଓ୍ବାର ପୂର୍ବରୁ କହିସାରିଛନ୍ତି। ଏହାକୁ ନେଇ ଯଦି ଏନ୍‌ସିପି ତା’ କଥାରେ ଅଡି ବସିଲା ତେବେ ଭାଜପା ଶିବସେନା କଥା ମାନିନେବାକୁ ବାଧ୍ୟ ହେବ ବୋଲି ଆଲୋଚନା ହେଉଛି। ନଚେତ୍‌ ଭାଜପା ସରକାର ଗଠନ କରିପାରିବ ନାହିଁ। ଅନ୍ୟପଟେ ଭାଜପାକୁ ଚେତାବନୀ ଦେବାଭଳି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଲୋକ ସଭା ନିର୍ବାଚନ ବେଳେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସହ ଯାହା କଥା ହୋଇଥିଲା ଶିବସେନାକୁ ନା ତା’ଠାରୁ ଅଧିକ ଦରକାର ନା କମ୍‌। ତେବେ ଶିବସେନାକୁ କେତେ ଆବଶ୍ୟକ ତାହା ସେ ସ୍ପଷ୍ଟ କରି ନାହାନ୍ତି। ଅନ୍ୟପଟେ କିନ୍ତୁ ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଚାହୁଁଥିବା ପୂର୍ବରୁ ସୂଚନା ରହିଛି। ଏହାସହ ୫୦-୫୦ ଅଙ୍କକୁ ମଧ୍ୟ ମନେପକାଇ ଦେଇଛନ୍ତି ଉଦ୍ଧବ। ସୂଚନାଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ମୋଟ ୨୮୮ ଆସନ ମଧ୍ୟରୁ ଭାଜପା-୧୦୫, ଶିବସେନା-୫୬, ଏନ୍‌ସିପି-୫୪, କଂଗ୍ରେସ-୪୪ ଓ ଅନ୍ୟାନ୍ୟ-୨୯ ଆସନ ପାଇଛନ୍ତି।

Share