ଭାଜପା ପ୍ରଚାରକୁ ବିରୋଧ କରି ଆକ୍ରମଣ: ୨ ଭାଜପା ନେତା ଆହତ

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ)- ରାଜଧାନୀରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ନୀଳାଦ୍ରିବିହାରରେ ପ୍ରଚାରକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହଁି ହୋଇଛନ୍ତି। ଅନ୍ୟଏକ ଗୋଷ୍ଠୀ ଭାଜପା କର୍ମୀଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ଦୁଇଜଣ ଭାଜପା ନେତା ଆହତ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଭାଜପା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ଭାଜପା ମଣ୍ଡଳ ସଭାପତି ମାନସୀ ରଞ୍ଜନ ରାୟ। ସୂଚନା ମୁତାବକ, ବୁଧବାର ମଧ୍ୟାହ୍ନରେ ଉତ୍ତର ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଅପରାଜିତା ମହାନ୍ତି ଅନ୍ୟ ନେତୃବୃନ୍ଦ ଓ କର୍ମୀଙ୍କ ସହ ନୀଳାଦ୍ରିବହାର ଅଞ୍ଚଳରେ ପ୍ରଚାର କରୁଥିଲେ। ମଙ୍ଗଳାବସ୍ତିକୁ ପ୍ରଚାର ଯାଉଥିବାବେଳେ କେତେଜଣ ଯୁବକ ଏହାକୁ ବିରୋଧ କରି ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା। ସମ୍ପୃକ୍ତ ଯୁବକମାନେ ସଂଘବଦ୍ଧ ଭାବେ ନିର୍ଦ୍ଦିଷ୍ଟ କେତେଜଣ ଭାଜପା ନେତାଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ମାଡ଼ରେ ଭୁବନେଶ୍ୱରର ଭାଜପା ସାଧାରଣ ସମ୍ପାଦକ ସାବତ ଓ ଚନ୍ଦ୍ରଶେଖରପୁର ଭାଜପା ମଣ୍ଡଳ ସଭାପତି ମାନସୀ ଆହତ ହୋଇଛନ୍ତି। ଏ ନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଯେଉଁମାନଙ୍କ ନାମରେ ଅଭିଯୋଗ କରାଯାଇଛି ପୋଲିସ ସେମାନଙ୍କୁ ଚିହ୍ନଟ କରିବା ସହ ଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବ।