ଭାଜପା ପ୍ରାର୍ଥୀଙ୍କୁ ମାଡ଼ ମାରି ଅଟକ

କାକଟପୁର, ୨୭।୪(ଡି.ଏନ୍‌.ଏ.): କାକଟପୁରର ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ କେତେଜଣ ଲୋକ ଗୁରୁବାର ବିଳମ୍ବିତ ରାତିରେ ମାଡ଼ ମାରିବା ସହ ଅଟକ ରଖିଥିଲେ। ଖବର ପାଇ କାକଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା। ଏ ନେଇ ରବି କାକଟପୁର ଥାନାରେ ଅଭିଯୋଗ କରିଥିବାବେଳେ ତାଙ୍କ ଓ ସମର୍ଥକଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମର ସଞ୍ଜୟ ନାୟକ। ତଦନୁଯାୟୀ ୪୮/୧୯ ଏବଂ ୪୯/୧୯ରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିବା କାକଟପୁର ଥାନା ଆଇଆଇସି ସୁମତୀ ମହାନ୍ତି କହିଛନ୍ତି।
ରବିଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ସମର୍ଥକମାନଙ୍କ ସହିତ କୋଣାର୍କରୁ ଅସ୍ତରଙ୍ଗ ଫେରୁଥିବା ସମୟରେ ଶ୍ରୀରାମପୁରଠାରେ କେତେଜଣ କଂଗ୍ରେସ ସମର୍ଥକ ଭୋଜି କରୁଥିଲେ। ସେମାନେ ହଠାତ୍‌ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିବା ସହିତ ଠେଲାପେଲା କରିଥିଲେ। ଅପରପକ୍ଷରେ ସଞ୍ଜୟଙ୍କ ଅଭିଯୋଗ ଅନୁଯାୟୀ, ରବି ଓ ତାଙ୍କ ସମର୍ଥକମାନେ ଗଁାରେ ପହଞ୍ଚତ୍ ଭୋଟରମାନଙ୍କୁ ଟଙ୍କା ବାଣ୍ଟି ପ୍ରଲୋଭିତ କରିବାକୁ ଉଦ୍ୟମ କରୁଥିବା ଜାଣି ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ପୋଲିସ ରବିଙ୍କ ବୋଲେରୋ ଗାଡ଼ି (ନଂ ଓଡି୩୩ଭି-୭୦୪୦)କୁ ଥାନାରେ ରଖି କେଉଁ କାରଣରୁ ସେ ବିଳମ୍ବିତ ରାତିରେ ଶ୍ରୀରାମପୁର ଯାଇଥିଲେ ତାହା ତଦନ୍ତ କରୁଛି।
ଟଙ୍କା ବାଣ୍ଟିବା ସମ୍ପର୍କରେ ରବି କୁହନ୍ତି, ତାଙ୍କର ବିଜୟ ସମ୍ଭାବନା ବୃଦ୍ଧି ପାଉଥିବାରୁ ହତୋତ୍ସାହିତ
ହୋଇ କଂଗ୍ରେସ କର୍ମୀମାନେ
ଏପରି ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଛନ୍ତି। କାକଟପୁର ନିର୍ବାଚନମଣ୍ଡଳୀର ଭୋଟରମାନେ ତାଙ୍କୁ ଭଲ ଭାବରେ ଜାଣିଛନ୍ତି। ବିରୋଧୀଙ୍କ ଚକ୍ରାନ୍ତ କେବେ ସଫଳ ହେବନାହିଁ ସେ ବୋଲି କହିଥିଲେ।