ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସଭାର ୩ ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଗୋଟିଏ ଆସନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ହେଲା ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରି ରାଜ୍ୟ ସଭାକୁ ପଠାଇବା। ଏ ନେଇ ଭାଜପା ଓ ବିଜେଡି ନେତାମାନେ ମଧ୍ୟ ଟେର ପାଇ ନ ଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଭାଜପା ଓ ବିଜେଡି ଉପରେ ଉପରେ କଳି, ଭିତରେ ଭିତରେ କୋଳାକୋଳି ହେଉଛନ୍ତି। ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ ଏହି ଡିଲ୍ ପଛରେ କି ରହସ୍ୟ ରହିଛି ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଶନିବାର ପ୍ରଶ୍ନ କରିଛନ୍ତି।
ପ୍ରକାଶଯୋଗ୍ୟ, ବରିଷ୍ଠ ଭାଜପା ନେତା ଦାମୋଦର ରାଉତ ଶନିବାର ପରୋକ୍ଷରେ ବିଜେଡିକୁ ସମାଲୋଚନା କରିଛନ୍ତି। ଦାମ କହିଛନ୍ତି, ଭାଜପା ରାଜ୍ୟରେ ଡବଲ୍ ଇଞ୍ଜିନ ହେଉ ବୋଲି ଚାହୁଁଥିଲା। ହେଲେ ଭୋଟ ବେଳେ ତାହା ପ୍ରତିଫଳିତ ହୋଇ ନ ଥିଲା। ମାତ୍ର ନିର୍ବାଚନ ପରେ ଡବଲ ଇଞ୍ଜିନ ହୋଇଗଲା ବୋଲି ସେ କହିଛନ୍ତି। ସେହିଭଳି ଅଶ୍ୱିନୀ ଜଣେ ଭଲ ଦକ୍ଷତା ସମ୍ପନ୍ନ ବ୍ୟକ୍ତି। ଦିଲ୍ଲୀରେ ତାଙ୍କର ଭଲ ଲବି ରହିଛି। ଏଥିପାଇଁ ଭାଜପା ତାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ଅଛି। ଉଭୟ ଦଳ ନିଜର ଫାଇଦା ପାଇଁ ଅଶ୍ୱିନୀଙ୍କୁ ସମର୍ଥନ ଦେଇଛନ୍ତି ବୋଲି ଦାମ ମତ ରଖିଛନ୍ତି।