ଭାଜପା ଭଳି ବିଜେଡି ରାଜନୀତିକରଣ କରିବାରେ ବିଶ୍ୱାସ କରେ ନାହିଁ: ସସ୍ମିତ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା ଦୁର୍ଭାଗ୍ୟଜନକ। ଏହାକୁ ଏଡ଼ାଯାଇ ପାରିଥାନ୍ତା। ଅଘଟଣ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଉଛୁ। ତାଙ୍କୁ କ୍ଷତିପୂରଣ ଦିଆଯାଉ। ଆହତ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉ। ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ଏଣୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତେବେ ଅଘଟଣକୁ ବିଜେଡି ଭାଜପା ଭଳି ରାଜନୀତିକରଣ କରିବାରେ ବିଶ୍ୱାସ କରେନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ପ୍ରକାଶ ଯେ, ବିମାନବନ୍ଦର ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ ତିଆରି ଚାଲିଥିବା ବିଲ୍ଡିଂର ଛାତ ଶୁକ୍ରବାର ରାତିରେ ଭୁଶୁଡ଼ି ପଡ଼ିଥିଲା। ଏହାତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ବଡ଼ମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ଠିକା ସଂସ୍ଥାର ହେଲପର ଭାବେ କାମ କରୁଥିଲେ। ସେହିଭଳି ଗୁରୁତର ଢେଙ୍କାନାଳର ନବକିଶୋର ସ୍ବାଇଁ ଡ୍ରାଇଭର ଭାବେ କାମ କରୁଥିଲେ। କ୍ୟାପିଟାଲ ହସ୍ପିଟାଲରେ ନବକିଶୋରଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷେ ଶ୍ରମିକ ସୁରକ୍ଷାକୁ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ଛାତ ଢଳେଇ କାମ ସରି ଯାଇଥିବା ବେଳେ ଅଧିକ ଓଜନ ପଡ଼ିବାରୁ ଭୁଶୁଡ଼ି ପଡ଼ିଥିବା ନେଇ କନ୍‌ଷ୍ଟ୍ରକଶନ ସଂସ୍ଥାର ଏମ୍‌ଡି ଦିଲୀପ ଖଟୋଇ ସ୍ପଷ୍ଟିକରଣ ଦେଇଛନ୍ତି।

Share