କୋଲକାତା,୧୯।୧୦: ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲା ଅଧୀନ ଇଟାହାରରେ ଭାଜପା ଯୁବନେତା ମିଥୁନ ଘୋଷଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପଛରେ ତୃଣମୂଳ କଂଗ୍ରେସର ଅସାମାଜିକ ବ୍ୟକ୍ତି ସମ୍ପୃକ୍ତ ଥିବା ଭାଜପା ଅଭିଯୋଗ କରିଛି। ଅନ୍ୟପକ୍ଷେ ଟିଏମ୍ସି ଅଭିଯୋଗକୁ ଖଣ୍ଡନ କରିଛି। ରବିବାର ଅପରାହ୍ନରେ ମିଥୁନ ରାଜଗ୍ରାମ ଘର ବାହାରେ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ରାଇଗଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ମିଥୁନ ଭାଜପା ଯୁବମୋର୍ଚ୍ଚାର ଜିଲା ସମ୍ପାଦକ ଥିଲେ। ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବିଭିନ୍ନ ସମୟରେ ତାଙ୍କୁ ଫୋନ୍ ଯୋଗେ ଧମକ ଦିଆଯାଉଥିଲା। ଏନେଇ ପୋଲିସକୁ ଅଭିଯୋଗ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ବୋଲି ଜିଲା ଭାଜପା ସଭାପତି ବାସୁଦେବ ସର୍କାର କହିଛନ୍ତି।