ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କଦଳୀଝୋଳା ଗଁାର କୁମର ନାଇକ।
ସୋରଡ଼ା ଥାନା ପରିସରରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସୀତାରାମ ଶତପଥୀଙ୍କ ସୂଚନା ଅନୁଯାୟୀ, ଗ୍ରାମର ଗୋଟିଏ ଚଉଁରାରେ ଭାଜପା ପୋଷ୍ଟର ମରାଯାଇଥିଲା। ଉକ୍ତ ପୋଷ୍ଟରକୁ ବାହାର କରିବାକୁ ବିଜେଡି ସମର୍ଥକମାନେ କହିଥିଲେ। ଏ ନେଇ ରାତିରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଭାଜପା ସମର୍ଥକ ଗଣେଶ ପତି ଏବଂ ତାଙ୍କ ପୁଅ ସନ୍ତୋଷଙ୍କ ସହ ବିଜେଡି ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ସନ୍ତୋଷଙ୍କ ଉପରେ ବିଜେଡି ସମର୍ଥକ ଆକ୍ରମଣ କରିଥିଲେ। ଗୁରୁତର ସନ୍ତୋଷଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପା ଗଣେଶଙ୍କ ଏତଲା କ୍ରମେ ପୋଲିସ ନଂ. ୫୬/୧୯ରେ ଏକ ମାମଲା ରୁଜୁ କରି କୁମର ନାଇକଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଫେରାର୍‌ ଅଛନ୍ତି। ତାଙ୍କୁ ଧରାଯିବ ଶୀଘ୍ର କାବୁ କରାଯିବ ବୋଲି ପୋଲିସ କହିଛି। ଆକ୍ରମଣ ପରେ ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ, ଯୁବନେତା କବିରାଜ ସ୍ବାଇଁ, ସୂର୍ଯ୍ୟ ପ୍ରଧାନ, ସୁରେନ୍ଦ୍ର ଡାକୁଆଙ୍କ ସମେତ ବହୁ କର୍ମୀ, ଜନସାଧାରଣ ବୁଧବାର ରାତିରେ ଭଞ୍ଜନଗର-ସୋରଡ଼ା ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ସୋରଡ଼ା ଥାନାଧିକାରୀ ପ୍ରଭାତ ସାହୁ ମୃତଦେହ ଜବତ କରି ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ କରାଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ଘଟଣାପରେ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।