Categories: ଜାତୀୟ

ଭାଜପା ସହ ମେଣ୍ଟ ପରେ ଇସିଙ୍କ ଶୁଭଦୃଷ୍ଟି: ନିର୍ବାଚନ ଲଢ଼ିପାରିବେ ସିକିମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ଉପନିର୍ବାଚନ ପୂର୍ବରୁ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂ ତମାଙ୍ଗ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନିର୍ବାଚନ କମିଶନ (ଇସି) ରବିବାର ତାଙ୍କର ଅଯୋଗ୍ୟତା ଅବଧିକୁ ୫ ବର୍ଷ କମାଇ ଦେଇଛନ୍ତି। ଫଳରେ ସେ ଏବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନିର୍ବାଚନ ଲଢ଼ିପାରିବେ।
ସିଂ ତମାଙ୍ଗ୍‌ ୧୯୯୦ ଦଶକରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିବାବେଳେ ଗାଈ ବଣ୍ଟନ ଯୋଜନାରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ତାଙ୍କ ବିରୋଧରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଏହି ମାମଲାରେ ତମାଙ୍ଗ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ବର୍ଷକ ପାଇଁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ତମାଙ୍ଗ୍‌ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅଯୋଗ୍ୟ ଥିଲେ। ଏହି କଟକଣା ହଟାଇବା ପାଇଁ ସେ ଗତ ଜୁଲାଇରେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ। ଶାସକ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ସହ ଶନିବାର ଭାଜପା ମେଣ୍ଟ ଘୋଷଣା କରିଥିଲା। ଏହାର ଦିନକ ପରେ ତାଙ୍କ ଉପରେ ଇସିଙ୍କ ଶୁଭଦୃଷ୍ଟି ପଡ଼ିଛି। ତମାଙ୍ଗ୍‌ଙ୍କ ଅଯୋଗ୍ୟତା ଅବଧିକୁ ୫ ବର୍ଷ କମାଇ ଦିଆଯାଇଛି। ଫଳରେ ସେ ଏବେ ଉପନିର୍ବାଚନ ଲଢ଼ି ପାରିବେ। ତମାଙ୍ଗ୍‌ ୨୦୧୮ ଅଗଷ୍ଟ ୧୦ରେ ଜେଲରୁ ମୁକୁଳି ଗତ ମେ ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତା ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ନିୟମ ରହିଛି। ଏଭଳି ସ୍ଥଳେ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଥିବା ତମାଙ୍ଗ୍‌ଙ୍କ ପାଇଁ ପଦ ବଜାୟ ରଖିବା ଲାଗି ୬ ମାସ ମଧ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା ଜରୁରୀ। ତମାଙ୍ଗ୍‌ଙ୍କ ଅଯୋଗ୍ୟତା ଅବଧି ୨୦୨୪ ଅଗଷ୍ଟ ୧୦ରେ ଶେଷ ହେବାକୁ ଥିବାବେଳେ ଇସି ଲୋକ ପ୍ରତିନିଧି ଆଇନର ଧାରା ୧୧ ଅନୁସାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା କଟକଣାକୁ ୫ ବର୍ଷ ହ୍ରାସ କରିଦେଇଛନ୍ତି। ଫଳରେ ଜେଲ୍‌ରୁ ମୁକୁଳିବାର ୧୧ ମାସ ପରେ ସେ ନିର୍ବାଚନ ଲଢ଼ିପାରିବେ।
ଯେ, ସିକିମର ଭାଜପା ପ୍ରଭାରୀ ନୀତିନ ନବୀନ ଶାସକ ଏସ୍‌କେଏମ୍‌ ସହ ମିଶି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ। ଭାଜପା ଗ୍ୟାଙ୍ଗ୍‌ଟକ ଓ ମାର୍ଟମ-ରୁମଟେକ୍‌ ଆସନରୁ ଲଢ଼ିବାକୁ ଥିବାବେଳେ ଏସ୍‌କେଏମ୍‌ ଭାଗରେ ପୋକ୍‌ଲୋକ-କାମରଙ୍ଗ ଆସନ ପଡ଼ିଛି। ଅକ୍ଟୋବର ୨୧ରେ ଏହି ୩ ଆସନରେ ଉପନିର୍ବାଚନ ହେବ ବୋଲି ନିକଟରେ ଇସି ଘୋଷଣା କରିଛନ୍ତି।

Share