ବୈପାରୀଗୁଡ଼ା,୨୦ା୫(ଡି.ଏନ୍.ଏ.) ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ଏନ୍ବିସିସି ସଂସ୍ଥା ଏହାକୁ ନିର୍ମାଣ କରୁଥିବା ବେଳେ ଅଣଓଡ଼ିଆ କର୍ମଚାରୀ ଦାୟିତ୍ବ ବୁଝୁଛନ୍ତି। ରାସ୍ତା ଅତି ନିମ୍ନମାନର ହେଉଥିବା ବେଳେ ସ୍ଥାନୀୟ ଆଦିବାସୀ ଏହାର ପ୍ରତିବାଦ କଲେ ମଧ୍ୟ ସେମାନେ ଖାତିର କରୁନାହାନ୍ତି। ସଦ୍ୟ ନିର୍ମିତ ଏକ କଲଭର୍ଟ ଦବିଯିବା ସହ ଫାଟିଯାଇଛି। ଏ ସଂପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସଂପୃକ୍ତ ଅଣଓଡ଼ିଆ ଯନ୍ତ୍ରୀ ବଜରଙ୍ଗୀ ଯାଦବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶୁକ୍ରବାର ସଂପୃକ୍ତ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ଲୋକଙ୍କ ଉପସ୍ଥିତିରେ ଉକ୍ତ ସୁପରଭାଇଜରଙ୍କୁ କଲଭର୍ଟ ଭାଙ୍ଗି ଆଉ ଥରେ ନିର୍ମାଣ କରିବାକୁ ତାଗିଦ କରିଥିଲେ। କିଛି ସମୟ ପରେ ଲୋକଙ୍କ ଆଢୁଆଳରେ ଦୁଇ କର୍ମଚାରୀ କିଛି ସମୟ କଥା ହେବା ପରେ ସଂପୃକ୍ତ ଯନ୍ତ୍ରୀ ହିନ୍ଦୀରେ ‘ଚଲେଗା’ କହି ଫେରି ଆସିଥିଲେ। ପରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାରୁ ସଂପୃକ୍ତ ଅଣଓଡ଼ିଆ ସୁପରଭାଇଜର ଆଦିବାସୀ ଲୋକଙ୍କୁ ଭୟଭୀତ କରାଇଥିଲେ। ଇଚ୍ଛା ଥିଲେ ବି ଲୋକେ ଭୟରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବାକୁ ସାହସ କରିପାରୁନାହାନ୍ତି। ରାସ୍ତାରେ ବିନା ପାଣିରେ ସିମେଣ୍ଟ ଓ ମୋରମ୍ ବିଛାଯାଇ ତା ଉପରେ ପିଚୁ ଢଳା ହେଉଥିବା ବେଳେ ସିମେଣ୍ଟ ଓ ପିଚୁର ଭାଗ ମାପ ସମାନ ନ ଥବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଫଳରେ ରାସ୍ତାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠୁଛି। ସେହିପରି ବ୍ଲକର ମନ୍ତ୍ରୀଆମ୍ବରୁ ଜବା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଉକ୍ତ ସଂସ୍ଥା ନିର୍ମାଣ କରୁଥିବା ବେଳେ କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ନିୟମ ଅନୁସାରେ ପୁରୁଣା କଲଭର୍ଟ ଭାଙ୍ଗି ନୂଆ କଲଭର୍ଟ କରିବା କଥା। କିନ୍ତୁ ଏକ ପୁରୁଣା କଲଭର୍ଟ ଉପରେ ରାସ୍ତା ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଫାଟି ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସଂସ୍ଥା ପକ୍ଷରୁ ବ୍ଲକରେ ଚାଲୁଥିବା ସମସ୍ତ କାମ ଅତି ନିମ୍ନମାନର ଏବଂ ଏ ସବୁର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।