Advertisement

ଭାତ-ଡାଲି ଆନୁବଂଶିକ ରୋଗରୁ ଦେବ ମୁକ୍ତି

ବର୍ଲିନ୍‌,୧୯।୯: ଭାରତୀୟ ଖାଦ୍ୟ ଭାତ-ଡାଲି ଆନୁବଂଶିକ ରୋଗରୁ ମୁକ୍ତି ଦେବ। ଜର୍ମାନୀର ଲ୍ୟୁବେକ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆନୁବଂଶିକ ରୋଗ ପାଇଁ ଡିଏନ୍‌ଏ ସଂରଞ୍ଚନା ଦାୟୀ ରହିବା ସହିତ ଖାଦ୍ୟପେୟର ମଧ୍ୟ ପ୍ରଭାବ ରହିଛି ବୋଲି ପ୍ରଫେସର ରୋଲ୍ଫ୍‌ ଲୁଡଓ୍ବିଜ୍‌ଙ୍କ ନେତୃତ୍ୱରେ ଗବେଷଣା କରୁଥିବା ୩ ଜଣିଆ ଗବେଷକଙ୍କ ପ୍ରାମାଣିକ ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଏହି ଗବେଷଣାରେ ରୁଷିଆର ଡ. ଅର୍ତେମ୍‌ ଓ୍ବୋରୋଓ୍ବେୟବ, ଇସ୍ରାଏଲ୍‌ର ଡ.ତାନ୍ୟା ସୋଜିନ୍‌ ଏବଂ ଭାରତର ଡ. ପାସ୍କା ଗୁପ୍ତା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଦୁଇଟି ମୂଷା ଦଳଙ୍କ ଉପରେ ଦୀର୍ଘ ଦିନ ଅଧ୍ୟୟନ ପରେ ଏହା ଜଣାପଡ଼ିଛି। ଅଧ୍ୟୟନ ସମୟରେ ଗୋଟିଏ ମୂଷା ଦଳଙ୍କୁ ଭାତ-ଡାଲି ଖାଇବାକୁ ଦିଆଯାଇଥିବାବେଳେ ଅନ୍ୟଦଳକୁ ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ ଦିଆଯାଇଥିଲା। ଜଣା ପଡ଼ିଥିଲା ଭାତ-ଡାଲି ଖାଉଥିବା ମୂଷାଙ୍କ ମଧ୍ୟରେ ଆନୁବାଂଶିକ ରୋଗ ଦେଖାଯାଇ ନ ଥିବାବେଳେ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଉଥିବା ମୂଷାଙ୍କ ମଧ୍ୟରେ ଏହି ରୋଗ ଦେଖାଯାଇଥିଲା। ଫାଷ୍ଟଫୁଡ୍‌ ଯୋଗୁ ଆନୁବଂଶିକ ରୋଗ ବୃଦ୍ଧି ପାଉଥିବା ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share