Categories: ଖେଳ

ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ରୁଟ୍‌ଙ୍କ ପରାମର୍ଶ

ବର୍ମିଂହାମ,୨୮।୬(ପି.ଟି.)- ଆସନ୍ତା ରବିବାର ଏଠାରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ସାଥୀ ଖେଳାଳିମାନଙ୍କୁ କିଛିଟା ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ସେ କହିଛନ୍ତି। ଯଦି ଏହି ମ୍ୟାଚ୍‌ରେ ଭାରତଠାରୁ ଇଂଲଣ୍ଡ ପରାସ୍ତ ହୁଏ ତାହେଲେ ଟୁର୍ନାମେଣ୍ଟରୁ ବାଦ୍‌ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ଟୁର୍ନାମେଣ୍ଟରେ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ଇଂଲଣ୍ଡ କ୍ରମାଗତ କେତୋଟି ପରାଜୟ ବରଣ କରି ବିପଦରେ ପଡିଛି। ଶ୍ରୀଲଙ୍କାଠାରୁ ହାରିବା ପରେ ଇଂଲଣ୍ଡ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ଇଂଲଣ୍ଡ ଏବେ ୭ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୩ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଆଗକୁ ଇଂଲଣ୍ଡ ଭାରତ ଓ ପରେ ନ୍ୟୁଜିଲାଣ୍ଡକୁ ଭେଟିବ। ତେଣୁ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଇଂଲଣ୍ଡକୁ ଏହି ଦୁଇଟି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏହି ଦୁଇଟି ମ୍ୟାଚ୍‌ରେ ଆମକୁ ଶାନ୍ତ ରହିବାକୁ ହେବ। ଏଜବାଷ୍ଟନ ଗ୍ରାଉଣ୍ଡରେ ପରିବେଶ ବେଶ୍‌ ରୋମାଞ୍ଚକ ରହିବ। ତେଣୁ ଖେଳାଳିମାନଙ୍କୁ ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ହେବ ବୋଲି ଟେଷ୍ଟ ଅଧିନାୟକ ରୁଟ୍‌ କହିଛନ୍ତି। ଆମେ ଏବେ ମଧ୍ୟ ସେମିଫାଇନାଲକୁ ଉଠିବାର ଦକ୍ଷତା ରଖିଛୁ। ଭାରତ ଓ ନ୍ୟୁଜିଲାଣ୍ଡକୁ ହରାଇପାରିଲେ ଆମେ ସେମିଫାଇନାଲକୁ ଉଠିବୁ। ଏହି ଦୁଇଟି ମ୍ୟାଚ୍‌ ଆମ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଟୁର୍ନମେଣ୍ଟରେ କେବେ ନା କେବେ ବଡ଼ ମ୍ୟାଚ୍‌ ବା ନକ୍‌ ଆଉଟ ମ୍ୟାଚ୍‌ ଖେଳିବାକୁ ହୋଇଥାଏ। ଆମକୁ କେବଳ ଭଲ ପ୍ରଦର୍ଶନ କରିବାକୁ ହେବ। ରବିବାର ବର୍ମିିଂହାମ୍‌ରେ ବହୁ ସଂଖ୍ୟାରେ ଭାରତୀୟ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିବେ। ତେଣୁ ଘରୋଇ ପରିବେଶରେ ଖେଳୁଥିଲେ ମଧ୍ୟ ଆମେ ଚାପରେ ରହିବୁ ଓ ନିଜ ଦର୍ଶକଙ୍କ ଉପସ୍ଥିତି ଭାରତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ରୁଟ୍‌ ସ୍ବୀକାର କରିଛନ୍ତି।

Share