ଭାରତକୁ ଆତ୍ମନିର୍ଭର କରିବା ଲାଗି କରୋନା ମହାମାରୀ ଆଣିଛି ନୂଆ ସୁଯୋଗ: ମୋଦି

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରକୃତ ପକ୍ଷେ କରୋନା ମହାମାରୀ ଭାରତ ଲାଗି ଏକ ନୂଆ ସୁଯୋଗ ଆଣିଦେଇଛି। ସାମ୍ପ୍ରତିକ ମହାମାରୀ ସମୟ ଭାରତ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଙ୍କଟଜନକ ସମୟରେ ଭାରତ ଆତ୍ମନିର୍ଭର ହେବା ପାଇଁ ପ୍ରକୃଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। କୋଲକାତାରେ ହେଉଥିବା ଆଇସିସି(ଇଣ୍ଡିଆନ୍‌ ଚାମ୍ବରର୍ସ ଅଫ୍‌ କମର୍ସ)ର ୯୫ତମ ବାର୍ଷିକ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି। ଏହି ସମୟରେ ସ୍ବଦେଶୀ ଉତ୍ପାଦ ବ୍ୟବହାର ଉପରେ ଜୋର୍‌ ଦେବା ସହିତ ବିଦେଶକୁ ମଧ୍ୟ ଏସବୁ ଉତ୍ପାଦ ରପ୍ତାନୀ ପାଇଁ ଭାରତୀୟ ଶିଳ୍ପଜଗତ ପ୍ରୟାସ କରିବା ଆବଶ୍ୟକ। ଇଛାଶକ୍ତି ଦ୍ୱାରା ସବୁ କାର୍ଯ୍ୟ ସହଜ ହୋଇଥାଏ। ପ୍ରଥମରୁ ହାର ମାନି ନେଲେ ଅବସର ଆମକୁ ଦୃଷ୍ଟି ଗୋଚର ହୋଇ ନ ଥାଏ। ତେଣୁ ଭାରତୀୟ ଶିଳ୍ପଜଗତ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରି ସ୍ବଦେଶୀ ଉତ୍ପାଦର ଜଗତୀକରଣ ଲାଗି ଉଦ୍ୟମ କରିବା ବର୍ତ୍ତମାନ ସମୟରେ ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Share